ବେଙ୍ଗାଲୁରୁ : କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ହାତରେ ଏକ ବଡ଼ ବିଜୟ ଲାଗିଥିବାବେଳେ ବିଜେପି ଏକ ବଡ଼ ପରାଜୟର ସମ୍ମୁଖୀନ ହୋଇଛି । କିନ୍ତୁ ଏହି ଫଳାଫଳକୁ ନେଇ ଆଉ ଏକ ଦଳ ନିରାଶ ହୋଇଛି-ତାହା ହେଉଛି ଜନତା ଦଳ(ଧର୍ମନିରପେକ୍ଷ) ବା ଜେଡିଏସ ।
ଗତ ୧୦ ତାରିଖରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରେ ରାଜ୍ୟରେ ଝୁଲା ସରକାର ହେବ ବୋଲି ଅଟକଳ କରାଯାଇଥିଲା ଓ ଜେଡିଏସ କିଙ୍ଗମେକର ହେବ ବୋଲି ଇସାରା ଦିଆଯାଇଥିଲା । କିନ୍ତୁ ଫଳାଫଳ ଆସିବା ପରେ ଜେଡିଏସ ଏବେ ନା କିଙ୍ଗ୍ ହେଲା ନା କିଙ୍ଗମେକର ହୋଇପାରିଲା ।
ଏହା ସହିତ ରାଜ୍ୟରେ ଯଦି ଝୁଲା ସରକାର ହୋଇଥାନ୍ତା ସେପରି ସ୍ଥିତିରେ ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଥିବା ଏଚଡି କୁମାରସ୍ବାମୀ ନିରାଶ ହୋଇଛନ୍ତି । ତାଙ୍କ ଦଳ ରାଜ୍ୟରେ ଏକ ବଡ଼ ପରାଜୟର ସମ୍ମୁଖୀନ ହୋଇଛି । କାରଣ ଭୋଟ ପ୍ରତିଶତକୁ ଦେଖିଲେ ଜଣାପଡ଼େ ଯେ ତାଙ୍କ ଦଳର ଭୋଟରମାନେ କଂଗ୍ରେସ ଆଡକୁ ଗତି କରିଛନ୍ତି । ୨୦୧୮ ନିର୍ବାଚନରେ ଦଳ ୧୮.୩ ପ୍ରତିଶତ ଭୋଟ ସହ ୩୭ଟି ଆସନ ଜିତିଥିଲା, କିନ୍ତୁ ଏଥର ଦଳର ଭୋଟ ପ୍ରତିଶତ ଓ ଆସନ ସଂଖ୍ୟା ଯଥାକ୍ରମେ ୧୩.୩ ପ୍ରତିଶତ ଓ ୧୯କୁ କମିଆସିଛି ।
ବିଜେପିର ଭୋଟ ପ୍ରତିଶତ ପ୍ରାୟ ସମାନ ଥିବାବେଳେ କଂଗ୍ରେସର ଭୋଟ ପ୍ରତିଶତ ୩୮ ପ୍ରତିଶତରୁ ୪୩ ପ୍ରତିଶତରେ ପହଞ୍ଚିଛି । ଅର୍ଥାତ ଜେଡିଏସ ଯେଉଁ ୫ ପ୍ରତିଶତ ଭୋଟ ହରାଇଛି ତାହା କଂଗ୍ରେସକୁ ଯାଇଛି ।