ବେଙ୍ଗାଲୁରୁ: ଜେଡିଏସ୍ ମୁଖ୍ୟ ଏଚ୍‌ଡି କୁମାରସ୍ୱାମୀ ଶନିବାର ଏକ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇ କହିଛନ୍ତି ଯେ ଯଦି ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଜେଡିଏସ୍‌ର ସମସ୍ତ ୧୯ ଜଣ ବିଧାୟକ ତାଙ୍କୁ ସମର୍ଥନ ପ୍ରଦାନ କରିବେ। ତାଙ୍କ ଦଳର ଅନେକ ବିଧାୟକ ଦଳରେ ଯୋଗ ଦେବାକୁ ଇଚ୍ଛୁକ ବୋଲି କଂଗ୍ରେସ ଦାବି କରୁଥିବା ବେଳେ କୁମାରସ୍ୱାମୀଙ୍କ ଏଭଳି ପ୍ରତିକ୍ରିୟା ଆସିଛି। ସେ କହିଛନ୍ତି, କର୍ଣ୍ଣାଟକ କଂଗ୍ରେସର ୧୩୬ ଜଣ ବିଧାୟକ ଅଛନ୍ତି। ଯେତେବେଳେ ଆପଣଙ୍କ ନିଜ ବିଧାୟକଙ୍କ ପାଖରେ ଉନ୍ନୟନ ମୂଳକ କାର୍ଯ୍ୟ କରିବା ପାଇଁ ଟଙ୍କା ନାହିଁ ସେତେବେଳେ ଆପଣ ଆମକୁ ଆପଣଙ୍କ ଦଳରେ ନେଇ କ’ଣ କରିବେ? ବରଂ ଆସନ୍ତାକାଲି ତାଙ୍କୁ (ଡିକେ ଶିବକୁମାରଙ୍କୁ) ମୁଖ୍ୟମନ୍ତ୍ରୀ ହେବାକୁ ଦିଅନ୍ତୁ। ମୁଁ ଆପଣଙ୍କୁ ଜେଡିଏସ୍‌ର ସମସ୍ତ ୧୯ ଜଣ ବିଧାୟକଙ୍କ ସମର୍ଥନ ଯୋଗାଇ ଦେବି ବୋଲି କୁମାରସ୍ୱାମୀ କହିଛନ୍ତି। ସେ କହିଛନ୍ତି ଯେ, ଏହା ଦୁର୍ଭାଗ୍ୟଜନକ ଯେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ଜେଡିଏସ୍ ବିଧାୟକମାନଙ୍କୁ ସେମାନଙ୍କ ଦଳରେ ଯୋଗ ଦେବା ପାଇଁ ଅନୁରୋଧ କରୁଛନ୍ତି।

Advertisment

କଂଗ୍ରେସ କର୍ମକର୍ତ୍ତାମାନେ ଜେଡିଏସ୍ ବିଧାୟକ ଜିଟି ଦେବଗୌଡାଙ୍କୁ ମନ୍ତ୍ରୀ କରିବା ଏବଂ ତାଙ୍କ ପୁଅ ପାଇଁ ମଧ୍ୟ କିଛି କରିବାକୁ ପ୍ରସ୍ତାବ ଦେଇଥିଲେ। ସେମାନେ ଜେଡିଏସ୍‌ର ଦେବଦୁର୍ଗା ବିଧାୟକ କାରେମ୍ମାଙ୍କୁ ମଧ୍ୟ ସମାନ ଅଫର ଦେଇଥିଲେ। ନେତୃତ୍ୱ ପରିବର୍ତ୍ତନକୁ ନେଇ କଂଗ୍ରେସରେ ଚାଲିଥିବା ବିବାଦ ସମ୍ପର୍କରେ କୁମାରସ୍ୱାମୀ କହିଛନ୍ତି ଯେ ରାଜ୍ୟରେ ଜଣେ ଟିସିଏମ୍ ଓ ଜଣେ ଡିସିଏମ୍ ଅଛନ୍ତି। ଟିସିଏମ୍ ଅର୍ଥ ଅସ୍ଥାୟୀ ମୁଖ୍ୟମନ୍ତ୍ରୀ ଏବଂ ଡିସିଏମ ଅର୍ଥ ନକଲି ମୁଖ୍ୟମନ୍ତ୍ରୀ। ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ ଦାବିଦାର ସାମ୍ନାକୁ ଆସିଛନ୍ତି। ଯଦି ଏହି ସରକାର ତିଷ୍ଠିରହେ ତେବେ ଆଗାମୀ ୫ ବର୍ଷ ମଧ୍ୟରେ ଆମେ କେତେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବୁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି। କୁମାରସ୍ୱାମୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଶିବକୁମାର କହିଛନ୍ତି, ସେ ପ୍ରଥମେ ଏନ୍‌ଡିଏରୁ ବାହାରକୁ ଆସନ୍ତୁ ଏବଂ ତା’ପରେ କଥା ହୁଅନ୍ତୁ। ସେ ଜଣେ ଭଲ ବିରୋଧୀ ଦଳ ନେତା ହୁଅନ୍ତୁ, ଆବଶ୍ୟକ ସ୍ଥଳେ ରାଜ୍ୟ ସରକାରଙ୍କ ଭୁଲକୁ ସୁଧାରନ୍ତୁ ଏବଂ ଆମକୁ ପ୍ରଶାସନରେ ଉନ୍ନତି ଆଣିବାରେ ସାହାଯ୍ୟ କରନ୍ତୁ।