ପାଟ୍ନା: ଗତ କିଛିଦିନ ଧରି ଚାଲିଥିବା ଚର୍ଚ୍ଚାର ଅବସାନ ଘଟିଛି। ବିହାରରେ ଶାସନ କରୁଥିବା ଜନତା ଦଳ (ସଂଯୁକ୍ତ) ଓ ବିଜେପି ମେଣ୍ଟ ଭାଙ୍ଗିଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ଜେଡି (ୟୁ)ର ସାଂସଦ ଓ ବିଧାୟକଙ୍କୁ ନେଇ ଡାକିଥିବା ବୈଠକ ଶେଷ ହେବା ପରେ ଏହି ଖବର ସାମ୍ନାକୁ ଆସିଛି । କଳ୍ପନାଜଳ୍ପନାର ଅନ୍ତଃ ଘଟାଇ ଶେଷର ଜେଡିୟୁ ନିଜ ଆଡୁ ଭାରତୀୟ ଜନତା ପାର୍ଟି(ବିଜେପି) ସହ ନିଜର ମେଣ୍ଟ ଭଙ୍ଗ କରିଛି। ଏହି ମେଣ୍ଟ ଭଙ୍ଗ କରିବା ପରେ ଆଜି ଅପରାହ୍ଣ ୪ଟାରେ ନୀତୀଶ କୁମାର ରାଜ୍ୟପାଳଙ୍କୁ ଭେଟିବାକୁ ଯିବେ ବୋଲି ସୂଚନା ରହିଛି।
ପୂର୍ବରୁ ଜେଡିୟୁ କହିଥିଲା ଯେ ବିଜେପି କୁଆଡ଼େ ମହାରାଷ୍ଟ୍ରର ଶିବସେନା ପରେ ତାଙ୍କ ଦଳକୁ ଭାଙ୍ଗିବାକୁ ଚାହୁଛି। ଅପରପକ୍ଷେ ଅମିତ ଶାହ ନିକଟରେ କହିଥିଲେ ଯେ ଜେଡିୟୁ କୁଆଡ଼େ କହୁଛି ୨୦୨୪ ସାଧାରଣ ନିର୍ବାଚନ ଏବଂ ତା’ପର ବର୍ଷ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ବିଜେପି ସହ ମେଣ୍ଟ ହେବ କି ନା ଠିକ୍ ହୋଇନାହିଁ। ବିଜେପିର ପରମ ଶତ୍ରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ନୀତୀଶ ଫୋନ୍ରେ କଥା ହେବା ପରେ ସେ ବିଜେପି ହାତଛାଡ଼ି ପୁଣି କଂଗ୍ରେସ, ଆର୍ଜେଡି ଓ ବାମଦଳ ସହ ମେଣ୍ଟ କରିବାର ସମ୍ଭାବନା ଉଜ୍ଜ୍ବଳତର ହୋଇଛି। ଅନ୍ୟପଟେ ବିହାରରେ ବିଜେପିକୁ କ୍ଷମତା ଅଳିନ୍ଦରୁ ବାହାରେ ରଖିବାକୁ ହେଲେ ବିରୋଧୀ ଦଳଗୁଡ଼ିକୁ ଜେଡିୟୁ ସହ ମେଣ୍ଟ କରିବା ଛଡ଼ା ଅନ୍ୟ ବିକଳ୍ପ ନାହିଁ।
ଉଳ୍ଲେଖଯୋଗ୍ୟ, ମୋଦୀ ସରକାରରେ ଏକମାତ୍ର କ୍ୟାବିନେଟ୍ ମନ୍ତ୍ରୀ ଥିବା ଜେଡିୟୁର ବରିଷ୍ଠ ନେତା ଆର୍ସିପି ସିଂହ ଇସ୍ତଫା ଦେଇ ନୀତୀଶଙ୍କ ଉପରେ ବର୍ଷିବା ଓ ଜେଡିୟୁକୁ ବୁଡ଼ିଲା ଜାହାଜ କହିବା ପରେ ନୀତୀଶ କୁମାର ସନ୍ଦେହ କରିଥିଲେ ଯେ ବିଜେପି ବିହାରରେ ମହାରାଷ୍ଟ୍ର ଭଳି ଘଟଣା ଘଟାଇବାକୁ ଯାଉଛି। ଏହାପରେ ସେ ରାଜନୈତିକ ଗୋଟିଚାଳନା ଆରମ୍ଭ କରିଥିଲେ। କ୍ଷମତା ପାଇଁ ନୀତୀଶ କୁମାର ବାରମ୍ବାର ଗୋଠ ବଦଳାଇଛନ୍ତି। ଏବେ ପୁଣି ସେ କଂଗ୍ରେସ ଓ ଆରଜେଡି ସଙ୍ଗେ ହାତ ମିଳାଇ ନୂଆ ସରକାର ଗଢ଼ିବା ଏକପ୍ରକାର ନିଶ୍ଚିତ ହୋଇଛି । ଆର୍ସିପି ସିଂହ ଏକନାଥ ସିନ୍ଦେ ହୋଇ ନ ଥିଲେ ମଧ୍ୟ ନୀତୀଶ ଭାବୁଛନ୍ତି ବିଜେପି ତାଙ୍କୁ ଅଧିକ ଦିନ ମୁଖ୍ୟମନ୍ତ୍ରୀ ଗାଦିରେ ରହିବାକୁ ଦେବ ନାହିଁ।ତେଣୁ ସେ ନିଜ ଆଡ଼ୁ ଏପରି ନିଷ୍ପତ୍ତି ନେଇ ମେଣ୍ଟ ଭାଙ୍ଗିଦେବାକୁ ଶ୍ରେୟସ୍କର ମଣିଛନ୍ତି।