ଯୋଗ ଦିବସ କାର୍ଯ୍ୟକ୍ରମରୁ ଦୂରେଇ ରହିଲା ଜେଡିୟୁ

ପାଟ୍‌ନା: ଭାରତରେ ଅନ୍ତର୍ଜାତୀୟ ଯୋଗ ଦିବସ ବି ରାଜନୀତିରୁ ବାଦ୍‌ ପଡ଼ିନି। ଏନଡିଏର ଏକ ପ୍ରମୁଖ ସହଯୋଗୀ ଦଳ ହୋଇଥିଲେ ମଧ୍ୟ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡିୟୁ ଆଜି ରାଜ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଛି। ଜଣାଯାଇଛି ଯେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ବିଜେପି ନେତୃତ୍ୱରେ ରାଜ୍ୟରେ ଏକ ବିଶାଳ ଯୋଗ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ଏଥିରେ ଜେଡିୟୁ ଅଂଶଗ୍ରହଣ କରିନାହିଁ। ଜେଡିୟୁୁ ରାଜ୍ୟ ସଭାପତି ବଶିଷ୍ଠ ନାରାୟଣ ସିଂହ କହିଛନ୍ତି ଯେ ଯୋଗାଭ୍ୟାସ ଘରେ ମଧ୍ୟ କରାଯାଉଛି, ତେଣୁ ଏହା କୌଣସି ବ୍ୟକ୍ତି କିମ୍ବା ଦଳର ଅଂଶଗ୍ରହଣ ସହ କୌଣସି ସଂପର୍କ ନାହିଁ। ଜେଡିୟୁ ମୁଖପାତ୍ର ନିରଜ କୁମାର କହିଛନ୍ତି ଯୋଗ ଦିବସକୁ ନେଇ କୌଣସି ପ୍ରକାର ରାଜନୀତି କରିବା ଉଚିତ୍‌ ନୁହେଁ। ଯୋଗ ଉଭୟ ମାନସିକ ଏବଂ ଶାରୀରିକ ବ୍ୟାୟାମ ପାଇଁ ମଣିଷର ଏକ ବ୍ୟକ୍ତିଗତ ପସନ୍ଦ। ମୁଁ ମଧ୍ୟ ମୋ ଘରେ ଯୋଗ କରୁଛି, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଯୋଗ କରୁଛନ୍ତି କିନ୍ତୁ ଆମେ କେବେ ସର୍ବସାଧାରଣରେ ଏହା ଦେଖେଇ ହେଉନା। ଅନ୍ୟପକ୍ଷରେ ବିଜେପି ନେତାମାନେ କହିଛନ୍ତି ଯେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଜେଡିୟୁ ଭିନ୍ନ ରାସ୍ତାରେ ଯିବା ପାଇଁ ଏଭଳି ଚାଲ୍‌ ଖେଳୁଛି। ଉଲ୍ଲେଖଯୋଗ୍ୟ ନୀତୀଶ ବିଜେପି ସହ ଦୀର୍ଘ ୧୭ ବର୍ଷର ସମ୍ପର୍କକୁ ୨୦୧୪ ମସିହାରେ ତୁଟାଇ ଦେଇଥିଲେ ଏବଂ ପରେ ପୁଣି ରାଜ୍ୟରେ ମହାମେଣ୍ଟ ସରକାରର ପତନ ଘଟାଇ ବିଜେପି ସହ ମେଣ୍ଟ କରି ସରକାର ଗଢ଼ିଥିଲେ। ଗତ ବର୍ଷ ମଧ୍ୟ ନୀତୀଶ ଯୋଗ ଦିବସକୁ ପବ୍ଲିସିଟି ଷ୍ଟଣ୍ଟ୍‌ ବୋଲି କହିଥିଲେ।

ସମ୍ବନ୍ଧିତ ଖବର