ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଉପରେ ଜେଡିୟୁର ଆଖି, ୭୫ଟି ଆସନରେ ଲଢ଼ିପାରେ ନୀତିଶଙ୍କ ଦଳ

କୋଲକାତା: ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ଶାସକ ଦଳ ଟିଏମସି ଏବଂ କେନ୍ଦ୍ରରେ ଥିବା ଶାସକ ବିଜେପି ମୁହାଁମୁହିଁ ହୋଇଛନ୍ତି। ନିର୍ବାଚନ ପାଇଁ ବିଜେପି ନିଜର ଶକ୍ତି ବଢ଼ାଇଥିବାବେଳେ ଏଥର ନିର୍ବାଚନରେ ନୀତିଶ କୁମାରଙ୍କ ଦଳ ଜେଡିୟୁ ମଧ୍ୟ ନିର୍ବାଚନ ଲଢ଼ିବା ନେଇ ସଙ୍କେତ ଦେଇଛି | ପଶ୍ଚିମବଙ୍ଗର ୭୫ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଜେଡିୟୁ ପ୍ରସ୍ତୁତ ବୋଲି ଦଳ ଦାବି କରିଛି। ଜେଡିୟୁର ପଶ୍ଚିମବଙ୍ଗ ଦାୟିତ୍ୱରେ ଥିବା ବିଧାନ ପରିଷଦ ସଦସ୍ୟ ଗୁଲାମ ରସୁଲ କହିଛନ୍ତି ଯେ ପଶ୍ଚିମବଙ୍ଗରେ ନିର୍ବାଚନ ଲଢ଼ିବା ପାଇଁ ଦଳ ପ୍ରସ୍ତୁତି ଆରମ୍ଭ କରିଛି |

୭୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଜେଡିୟୁ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ବିହାର ସୀମାରେ ଥିବା ପଶ୍ଚିମବଙ୍ଗର ଆସନଗୁଡିକରେ ଜେଡିୟୁ ନିର୍ବାଚନ ଲଢ଼ିପାରେ | ସେ କହିଛନ୍ତି ଯେ ଖୁବ ଶୀଘ୍ର ପଶ୍ଚିମବଙ୍ଗ ଶାଖାର ନେତାମାନେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିବେ। ନୀତିଶଙ୍କୁ ଭେଟିବା ପରେ ସ୍ପଷ୍ଟ ଭାବେ କେତୋଟି ଆସନରେ ଜେଡିୟୁ ଲଢ଼ିବ ସେ ନେଇ ଘୋଷଣା କରାଯିବ।

ତେବେ ବିହାରରେ ବିଜେପି ସହିତ ଜେଡିୟୁର ମେଣ୍ଟ ଥିବାବେଳେ ପଶ୍ଚିମବଙ୍ଗରେ ମେଣ୍ଟ ହେବ ନା ନାହିଁ ପ୍ରଶ୍ନରେ ରସୁଲ କହିଛନ୍ତି ଯେ ଏବାବଦରେ ବିଜେପି ସହ ଆଲୋଚନା କରାଯିବ | ଯଦି ବିଜେପି ରାଜି ହେବ, ତେବେ ୭୫ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବୁ। ଜେଡିୟୁ ବିଜେପିର ସହଯୋଗୀ ହୋଇଥିଲେ ବି ଝାଡ଼ଖଣ୍ଡରେ ଜେଡିୟୁ ଅଲଗା ହୋଇ ନିର୍ବାଚନ ଲଢ଼ିଥିଲା | ତେଣୁ ଆଲୋଚନା ପରେ ହିଁ ଚିତ୍ର ସ୍ପଷ୍ଟ ହେବ |

ସମ୍ବନ୍ଧିତ ଖବର