ପାଟନା: ବିହାରର ଶାସକ ଜନତା ଦଳ ସଂଯୁକ୍ତ (ଜେଡିୟୁ)ର ସ୍ଥାନୀୟ ନେତା ତଥା ପୋଲିଂ ଏଜେଣ୍ଟଙ୍କୁ ଦୁର୍ବୃତ୍ତମାନେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଘଟଣାଟି ନାଳନ୍ଦା ଜିଲ୍ଲାର ମଉଆ ଗାଁରେ ଭୋର ୪ଟା ୩୦ ମିନିଟରେ ଘଟିଛି। ସବୁ ଦିନ ଭଳି ସକାଳେ ଜେଡିୟୁର ସ୍ଥାନୀୟ ନେତା ଅନୀଲ କୁମାର (୬୨) ପ୍ରାତଃ ଭ୍ରମଣରେ ଯାଇଥିଲେ। ଏହି ସମୟରେ କେତେକ ସଶସ୍ତ୍ର ବ୍ୟକ୍ତି ତାଙ୍କୁ ଘେରିଯାଇଥିଲେ। ପ୍ରଥମେ ଠେଙ୍ଗାରେ ବାଡ଼େଇଥିଲେ ପରେ ଛୁରିରେ ଭୁସିଦେଇଥିଲେ। ଜିଲ୍ଲାପାଳ ଶଶାଙ୍କ ଶୁଭଙ୍କର କହିଛନ୍ତି ଯେ ଅନୀଲଙ୍କ ପରିବାର ଲୋକ ଆକ୍ରମଣ ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅନୀଲଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ିନାହିଁ। ଏନେଇ ଏକ ମାମଲା ରୁଜୁ କରାଯାଇଛି। ସ୍ବତନ୍ତ୍ର ପୁଲିସ୍ ଟିମ୍ ଗଠନ କରାଯାଇଛି। ଖୁବ୍ ଶୀଘ୍ର ଆକ୍ରମଣକାରୀଙ୍କୁ ଧରାଯିବ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଜୁନ୍ ୧ ମତଦାନ ଦିନ ଜେଡିୟୁ ଓ ଆର୍ଜେଡି ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବୁଥ୍ରେ ଅନୀଲ କୁମାର ପୋଲିଂ ଏଜେଣ୍ଟ ଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp