ଜେଡିୟୁ ବୁଡ଼ିଯାଉଥିବା ଜାହାଜ ନୁହେଁ, ସମୟ ଆସିଲେ ଜାଣିବ; ଆରସିପି ସିଂହଙ୍କୁ ଲଲନ ସିଂହଙ୍କ ଜବାବ

ପାଟନା: ବିହାରରେ ରାଜନୈତିକ କନ୍ଦଳ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦିନେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଖାସ କୁହାଯାଉଥିବା ଆରସିପି ସିଂ ଜେଡିୟୁରୁ ​​ଇସ୍ତଫା ଦେବା ପରେ ଏବେ ବିହାରର ରାଜନୀତି ସରଗରମ ‌ହୋଇଛି। ଜେଡିୟୁ ଅଧ୍ୟକ୍ଷ ଲଲନ ସିଂ ଏବଂ ଦଳର ପୂର୍ବତନ ନେତା ଆରସିପି ସିଂ ଏବେ ମୁହାଁମୁହିଁ ହୋଇଛନ୍ତି। ଆରସିପି ସିଂ ଇସ୍ତଫା ଦେବା ପରେ ଦେଇଥିବା ବିବୃତିକୁ ନେଇ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜୀବ ରଂଜନ ସିଂ  ନିଜର ପ୍ରତିକ୍ରିୟା ରଖିଛନ୍ତି।

ରାଜୀବ ରଂଜନ ସିଂ ଓରଫ ଲଲନ ସିଂହ କହିଛନ୍ତି ଯେ ନୀତୀଶ କୁମାରଜୀଙ୍କୁ ସମର୍ଥନ କରୁଥିବା ବିଧାୟକଙ୍କ ସଂଖ୍ୟା ୪୩କୁ ଖସି ଆସିଛି। ଏଭଳି ସମର୍ଥନ ଅଭାବରୁ ନୁହେଁ, କେବଳ ଷଡଯନ୍ତ୍ର ହେତୁ ହୋଇଛି। ଏବେ ନୀତୀଶଙ୍କ ଦଳ ହେଉଥିବା ଷଡଯନ୍ତ୍ର ପ୍ରତି ସତର୍କ ହୋଇଛି। ଏବେ ଆଉ କେହି ଷଡଯନ୍ତ୍ର କରିପାରିବେ ନାହିଁ। ଆରସିପି ସିଂ ଜେଡିୟୁ ବିଷୟରେ କ’ଣ ଜାଣନ୍ତି? ଆରସିପି ସିଂ କହୁଛନ୍ତି ଯେ ଜେଡିୟୁ ଏକ ବୁଡ଼ି ଯାଉଥିବା ଜାହାଜ। କିନ୍ତୁ ଆଗାମୀ ସମୟରେ ସେ ଜାଣିବେ ଯେ ଜେଡିୟୁ ଏକ ଚାଲୁଥିବା ଜାହାଜ। କାରଣ ଜେଡିୟୁକୁ ବୁଡ଼ାଇବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ଦଳରୁ ବାହାର କରିଦିଆଯାଇଛି। ଆରସିପି ସିଂଙ୍କୁ କ୍ଷମତାରୁ ବହିଷ୍କାର କରାଯାଇଛି, ସେଥିପାଇଁ ସେ ଏଭଳି କହୁଛନ୍ତି। ବିଜେପିର ନାଁ ନନେଇ ଲଲନ ସିଂହ କହିଛନ୍ତି ଯେ ଆରସିପି ସିଂଙ୍କ ଶରୀର ଜେଡିୟୁ ପାଖରେ ଥିଲେ ବି ତାଙ୍କ ମନ ଅନ୍ୟତ୍ର ଥିଲା। ସେଥିପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଗଲା।

ସମ୍ବନ୍ଧିତ ଖବର