ଜୁନ ମାସରୁ ଜେଡିୟୁ-ବିଜେପି ମଧ୍ୟରେ ଫାଟ ଥିବା ଜଣାପଡ଼ିଥିଲା

ନୂଆଦିଲ୍ଲୀ : ନୀତୀଶ କୁମାର ଯେ ହଠାତ ଏନଡିଏ ଛାଡ଼ିଦେଲେ ତାହା କହିବା ଠିକ ନୁହେଁ ବୋଲି ରାଜନୈତିକ ବିଶେଷଜ୍ଞମାନେ ମନେ କରୁଛନ୍ତି ।  କାରଣ ବିଜେପି ଓ ଜେଡି(ୟୁ) ମଧ୍ୟରେ ହୋଇଥିବା ଫାଟ  ସଂପର୍କରେ ଗତ ଜୁନ ମାସରୁ ହିଁ ଜଣାପଡ଼ିଯାଇଥିଲା ।

ଗତ ଜୁନ ମାସରେ ହୋଇଥିବା ଅଗ୍ନିପଥ ଆନ୍ଦୋଳନ ବେଳେ ବି ବିଜେପି ଜେଡିୟୁ ମୁହାଁମୁହିଁ ହୋଇଥିଲେ । ବିଜେପି ନେତାଙ୍କ ସୁରକ୍ଷାରେ ରାଜ୍ୟ ସରକାର ବିଫଳ ହୋଇଥିବା ବିଜେପି ଅଭିଯୋଗ କରିଥିଲା ।

ସେହିପରି ଜୁଲାଇ ମାସରେ ଆୟୋଜିତ ବିହାର ବିଧାନସଭାର ଶତବାର୍ଷିକ ସମାରୋହ ଉପଲକ୍ଷେ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ନିମନ୍ତ୍ରଣ ପତ୍ରରେ ନୀତୀଶଙ୍କ ନାମ ବାଦ ଦିଆଯାଇଥିଲା । ଏହାକୁ ନେଇ ଜେଡିୟୁ କ୍ଷୁବଧ ଥିଲା । ଖୋଲାଖୋଲି ଅସନ୍ତୋଷ ଜାହିର କରିଥିଲା ।

ଜୁନ-ଜୁଲାଇ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ତିନି ତିନିଟି ହାଇପ୍ରୋଫାଇଲ କାର୍ଯ୍ୟକ୍ରମରେ ନୀତୀଶ ବିଭିନ୍ନ ଆଳ ଦେଖାଇ ଯୋଗ ଦେଇନଥିଲେ । ଗତ ଜୁଲାଇ ୧୭ ତାରିଖରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ  ଓ ଜୁଲାଇ ୨୨ରେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମ୍ମାନରେ ଆୟୋଜିତ ରାତ୍ରଭୋଜନରେ ବି ନୀତୀଶ ଯୋଗ ଦେଇନଥିଲେ । ଏଥିରୁ ନିଶ୍ଚିତ ହୋଇଯାଇଥିଲା ଯେ ବିହାରରେ ଏନଡିଏ ମେଣ୍ଟରେ ସବୁକିଛି ଠିକ ଚାଲୁନାହିଁ ।

 

 

 

ସମ୍ବନ୍ଧିତ ଖବର