ବିହାର ମନ୍ତ୍ରିମଣ୍ଡଳ ସଂପ୍ରସାରଣ, ବିଜେପି-ଜେଡିୟୁ ଛକାପଞ୍ଝା ଆରମ୍ଭ

କେବଳ ଜେଡିୟୁର ୮ ନୂଆ ମନ୍ତ୍ରୀ ସାମିଲ, ଏନ୍‌ଡିଏ ସରକାରରେ ସାମିଲ ହେବୁନାହିଁ: କେସି ତ୍ୟାଗୀ

ପାଟନା: ବିହାରରେ ନୀତୀଶ କୁମାରଙ୍କ ସରକାର ଆଜି ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ୮ ଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ କରିଛନ୍ତି। ବିଜେପି ସହିତ ରାଜ୍ୟରେ ମେଣ୍ଟ ସରକାର ଚାଲିଥିଲେ ମଧ୍ୟ ଏହି ସଂପ୍ରସାରଣରେ ବିଜେପିକୁ ବାଦ୍‌ ଦିଆଯାଇଛି ଏବଂ ଶପଥ ନେଇଥିବା ସମସ୍ତ ୮ ଜଣ ମନ୍ତ୍ରୀ ଜେଡିୟୁର ହୋଇଥିବାରୁ ଛକାପଂଝା ଆରମ୍ଭ ହୋଇଯାଇଛି। ଜେଡିୟୁର ଏଭଳି ନିଷ୍ପତ୍ତିରେ ଏଲ୍‌ଜେପି ମଧ୍ୟ କ୍ଷୁବ୍ଧ ହୋଇଥିବା ଜଣାପଡ଼ିଛି । କେନ୍ଦ୍ର ସରକାରରେ ଜେଡିୟୁ କ୍ୟବିନେଟ୍‌ ମନ୍ତ୍ରୀ ପଦ ଦାବି କରିବାରୁ ବିଜେପି ଏହାକୁ ପ୍ରତ୍ୟାଖ୍ୟାନ କରିବା ପରେ କେନ୍ଦ୍ର ସରକାରରେ ଜେଡିୟୁ ସାମିଲ ହୋଇନାହିଁ। ଏହାପରେ ନୀତୀଶ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ଏହାକୁ କେବଳ ଜେଡିୟୁରେ ସୀମିତ ରଖିଥିବାରୁ ଆଗାମୀ ଦିନରେ ବିହାର ରାଜନୀତି ପୁଣି ନାଟକୀୟ ମୋଡ଼ ନେବ ବୋଲି କୁହାଯାଉଛି । ଜେଡିୟୁ ନେତା କେ.ସି. ତ୍ୟାଗୀ କହିଛନ୍ତି ଯେ ଆମେ ଏନ୍‌ଡିଏ ସରକାରରେ ସାମିଲ ନହେବା ନିଷ୍ପତ୍ତି ଚୂଡ଼ାନ୍ତ ଏବଂ ଭବିଷ୍ୟତରେ ମଧ୍ୟ ସାମିଲ ହେବା ନେଇ କୌଣସି ଯୋଜନା ନାହିଁ। ତେବେ ରାଜ୍ୟରେ ଏନ୍‌ଡିଏ ମେଣ୍ଟକୁ ନେଇ ଆମର କୌଣସି ସମସ୍ୟା ନାହିଁ ବୋଲି ସେ କହିଛନ୍ତି।

ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଜାତିଗତ ସମୀକରଣ ଦୃଷ୍ଟିରୁ ନୀତୀଶ ଏହି ସଂପ୍ରସାରଣ କରିଥିବାରୁ ବିଜେପିର କେନ୍ଦ୍ରୀୟ ନେତୃତ୍ବ ଏହା ଉପରେ ସତର୍କ ନଜର ରଖିଛନ୍ତି। ତେବେ ରାଜ୍ୟର ବରିଷ୍ଠ ବିଜେପି ନେତା ତଥା ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ କହିଛନ୍ତି ଯେ ଏନ୍‌ଡିଏରେ ସବୁକିଛି ଠିକ୍‌ଠାକ ଚାଲିଛି ଏବଂ ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ କାହାକୁ ନିଆଯିବ ତାହା ମୁଖ୍ୟମନ୍ତ୍ରୀଙ୍କ ଅଧିକାର । ଆଜି ଶପଥ ନେଇଥିବା ୮ ମନ୍ତ୍ରୀ ହେଲେ ଅଶୋକ ଚୌଧୁରୀ, ଶ୍ୟାମ ରଜକ, ରାମସେବକ ସିଂହ, ନୀରଜ କୁମାର, ବୀମା ଭାରତୀ, ନରେନ୍ଦ୍ର ଯାଦବ, ସଂଜୟ ଝା ଏବଂ ଲକ୍ଷ୍ମେଶ୍ବର ରାୟ।

ସମ୍ବନ୍ଧିତ ଖବର