ପତ୍ନୀଙ୍କୁ ପସନ୍ଦ ଆସିଲାନି ହେୟାର ଷ୍ଟାଇଲ, ଲୋକ ଲଗାଇ ସେଲୁନକୁ ଭାଙ୍ଗିଦେଲେ କନିଷ୍ଠ ଯନ୍ତ୍ରୀ

ନୂଆଦିଲ୍ଲୀ: ପତ୍ନୀ ଯାଇଥିବା ପାର୍ଲରର ହେୟାର ଷ୍ଟାଇଲ ପସନ୍ଦ ଆସିଲା ନାହିଁ | ଆଉ ସ୍ତ୍ରୀଙ୍କ କଥାରେ ପଡି ନିଜ କର୍ମଚାରୀଙ୍କ ସହାୟତାରେ ପାର୍ଲରରେ ଭଙ୍ଗାରୁଜା କଲେ କନିଷ୍ଠ ଯନ୍ତ୍ରୀ | ଗୁରୁଗ୍ରାମ ମ୍ୟୁନିସିପାଲିଟି କର୍ପୋରେସନର ଜଣେ କନିଷ୍ଠ ଯନ୍ତ୍ରୀଙ୍କ କାରନାମାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି | ପାର୍ଲର ମାଲିକ ସନ୍ଦୀପ କୁମାରଙ୍କ ଅଭିଯୋଗ ଅନୁଯାୟୀ, ମ୍ୟୁନିସିପାଲିଟି କର୍ପୋରେସନର ଜଣେ କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ସେକ୍ଟର -୩୮ରେ ଥିବା ତାଙ୍କ ପାର୍ଲରକୁ ଆସିଥିଲେ |

ତେବେ ପାର୍ଲରରେ ଥିବା ସୁବିଧା ଓ ହେୟାର ଷ୍ଟାଇଲ ତାଙ୍କୁ ପସନ୍ଦ ଆସିନଥିଲା | ଏହା ପରେ ଯନ୍ତ୍ରୀଙ୍କ ପତ୍ନୀ ସେଠାରୁ ଚାଲିଯାଇଥିଲେ | କିଛି ସମୟ ପରେ ଖୋଦ ଜେଇ ପାର୍ଲରକୁ ଆସି କର୍ମଚାରୀଙ୍କୁ ଧମକ ଦେଇଥିଲେ ଏବଂ ପରେ ମ୍ୟୁନିସିପାଲିଟି କର୍ମଚାରୀଙ୍କୁ ପଠାଇ ପାର୍ଲରରେ ଭଙ୍ଗାରୁଜା କରିଥିଲେ |

ପାର୍ଲର ମାଲିକଙ୍କ ଅଭିଯୋଗ ପରେ, ପୁଲିସ ଅଭିଯୁକ୍ତ ଜେଇଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇ ମ୍ୟୁନିସିପାଲିଟି କର୍ପୋରେସନର ଜେଇ କହିଛନ୍ତି ଯେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ସେ ସେଦିନ ଛୁଟିରେ ଥିଲେ।

ସମ୍ବନ୍ଧିତ ଖବର