‘ଜେଇଇ ଆଡ୍‌ଭାନ୍‌ସ୍‌ଡ୍‌ ୨୦୨୨’ ପରୀକ୍ଷା ଫଳ ପ୍ରକାଶିତ: ରାଙ୍କ୍‌ ୧ରେ ଆର୍‌. କେ. ଶିଶିର

ମୁମ୍ବାଇ: ଆଜି ‘ଆଇଆଇଟି-ବମ୍ବେ’ ତା’ର ଅଫିସିଆଲ୍‌ ୱେବ୍‌ସାଇଟ୍‌ jeeadv.ac.inରେ ଅନ୍ୟତମ କଠିନ ପ୍ରବେଶିକା ପରୀକ୍ଷା ‘ଜେଇଇ ଆଡ୍‌ଭାନ୍‌ସ୍‌ଡ୍‌’ର ଫଳ ପ୍ରକାଶ କରିଛି। ଉପରୋକ୍ତ ପୋର୍ଟାଲ୍‌ରେ ‘ଆଇଆଇଟି-ବମ୍ବେ’ ‘ଜେଇଇ ଆଡ୍‌ଭାନ୍‌ସ୍‌ଡ୍‌’ର ‘ଆନ୍‌ସର୍‌ କିଜ୍‌’ ମଧ୍ୟ ପ୍ରକାଶ କରିଛି।

‘ଜେଇଇ’ (ଆଡ୍‌ଭାନ୍‌ସ୍‌ଡ୍‌) ୨୦୨୨’ ‘କମନ୍‌ ରାଙ୍କ୍‌ ଲିଷ୍ଟ୍‌’ରେ ଚଳିତ ବର୍ଷ ‘ଆଇଆଇଟି ବମ୍ବେ’ ଜୋନ୍‌ର ଆର୍‌. କେ. ଶିଶିର ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ୩୬୦ ନମ୍ବରରୁ ସେ ପାଇଛନ୍ତି ୩୧୪ ନମ୍ବର। ‘ଆଇଆଇଟି ଦିଲ୍ଲୀ’‌ ଜୋନ୍‌ର ତନିଷ୍କା କାବ୍ରା ‘କମନ୍‌ ରାଙ୍କ୍‌ ଲିଷ୍ଟ୍‌’ରେ ୧୬ଶ ସ୍ଥାନରେ ରହି ମହିଳା ପରୀକ୍ଷାର୍ଥୀଙ୍କ ମଧ୍ୟରେ ପ୍ରଥମ ହୋଇଛନ୍ତି। ୩୬୦ ନମ୍ବରରୁ ସେ ରଖିଛନ୍ତି ୨୭୭ ନମ୍ବର।

Image Courtesy of India TV News

ଏହି ପ୍ରବେଶିକ ପରୀକ୍ଷାରେ ଶ୍ରେଷ୍ଠ ୧୦ ସ୍ଥାନ ହାସଲ କରିଥିବା ପରୀକ୍ଷାର୍ଥୀମାନେ ହେଲେ, ଆର୍‌. କେ. ଶିଶିର, ପୋଲୁ ଲକ୍ଷ୍ମୀ ସାଇ ଲୋହିତ ରେଡ୍ଡୀ, ଟୋମାସ୍‌ ବିଜୁ ଚୀରାମୱେଲିଲ୍‌, ବଙ୍ଗପଲ୍ଲୀ ସାଇ ସିଦ୍ଧାର୍ଥ, ମୟଙ୍କ ମୋଟୱାନି, ପୋଲିସେଟ୍ଟୀ କାର୍ତ୍ତିକେୟ, ପ୍ରତୀକ ସାହୁ, ଧୀରଜ କୁରୁକୁଣ୍ଡ, ମହିତ ଗଢ଼ିୱାଲା ଓ ବେତ୍‌ଚା ଜ୍ଞାନ ମହେଶ।

ଏଥର ସମୁଦାୟ ୧୫୫୫୩୮ ଜଣ ପରୀକ୍ଷାର୍ଥୀ ‘ଜେଇଇ’ (ଆଡ୍‌ଭାନ୍‌ସ୍‌ଡ୍‌) ୨୦୨୨’ର ପ୍ରଥମ ଓ ଦ୍ବିତୀୟ ପତ୍ର‌ ଦେଇଥିଲେ। ସେଥିରୁ ମାତ୍ର ୪୦୭୧୨ଜଣ ପାସ୍‌ କରିଛନ୍ତି। ପାସ୍‌ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୫୧୬ଜଣ ହେଉଛନ୍ତି ମହିଳା।

ସମ୍ବନ୍ଧିତ ଖବର