ନୂଆଦିଲ୍ଲୀ: ଜେଇଇ ମେନ୍ ଏବଂ ନିଟ୍ ପରୀକ୍ଷା ଆୟୋଜନକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, କରୋନା ମହାମାରୀ ମଧ୍ୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରାଇ ଜେଇଇ ଏବଂ ନିଟ୍ ପରୀକ୍ଷା ଆୟୋଜନ କରିବା ଆମ ପାଇଁ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ। ଏହି ପରୀକ୍ଷାକୁ ପୂର୍ବରୁ ୨ ଥର ସ୍ଥଗିତ ରଖାଯାଇଥିଲା । ତେବେ ଅଧିକାଂଶ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ପରୀକ୍ଷା ଆୟୋଜନ କରିବା ସପକ୍ଷରେ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ରାୟରେ କହିଥିଲେ ଯେ, ଛାତ୍ରଛାତ୍ରୀମାନଙ୍କ ଶିକ୍ଷାବର୍ଷକୁ ଏଭଳି କ୍ଷତିଗ୍ରସ୍ତ କରାଯାଇ ପାରିବନାହିଁ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ଦ୍ବାରା ଜେଇଇ ମେନ୍ ଏବଂ ନିଟ୍ ପରୀକ୍ଷା ଆୟୋଜନକୁ କେତେକ ରାଜନୈତିକ ଦଳ ଏବଂ ବ୍ୟକ୍ତିବିଶେଷ ଯେଭଳି ବିରୋଧ କରୁଛନ୍ତି ତାହା ଅଯୌକ୍ତିକ ଏବଂ ଅକାରଣ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ପରୀକ୍ଷା ଆୟୋଜନ କରାଯାଉଥିବାରୁ ଏହାକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।
୮୦ ପ୍ରତିଶତ ଛାତ୍ରଛାତ୍ରୀ ନିଟ୍ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ୍ ଡାଉନଲୋଡ୍ କରି ସାରିଛନ୍ତି। ଜେଇଇ ମେନ୍ ପାଇଁ ୮.୫୮ ଲକ୍ଷ ଆବେଦନକାରୀଙ୍କ ମଧ୍ୟରୁ ୭.୫୦ ଲକ୍ଷ ଆଡମିଟ୍ କାର୍ଡ ଡାଉନ୍ଲୋଡ୍ କରି ସାରିଲେଣି। ସେହିଭଳି ନିଟ୍ ପାଇଁ ୧୫.୯୭ ଲକ୍ଷ ଆବେଦନକାରୀଙ୍କ ମଧ୍ୟରୁ ୧୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସେମାନଙ୍କ ଆଡମିଟ୍ କାର୍ଡ୍ ଡାଉନ୍ଲୋଡ୍ କରି ସାରିଛନ୍ତି ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି। ୯୯ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପସନ୍ଦ ଅନୁଯାୟୀ ପରୀକ୍ଷା କେନ୍ଦ୍ର ଉପଲବ୍ଧ କରାଯାଇଛି। ପରୀକ୍ଷାକୁ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ପାରଦର୍ଶିତାର ସହ ଆୟୋଜନ କରିବାକୁ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପରୀକ୍ଷା ପାଇଁ ନିର୍ଦ୍ଦେଶାବଳି ପ୍ରସ୍ତୁତ କରି ସାରିଛନ୍ତି। ରାଜ୍ୟମାନଙ୍କ ସହ ସମନ୍ବୟ ରକ୍ଷା କରି ପରୀକ୍ଷା ଆୟୋଜନ ନିମନ୍ତେ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି।