୨୦୨୧ରେ ଓଡ଼ିଆ ଭାଷାରେ ହୋଇପାରେ ଜେଇଇ ମେନ୍

ନୂଆଦିଲ୍ଲୀ: ଓଡ଼ିଆ ଭାଷାରେ ଯୁଗ୍ନ ପ୍ରବେଶିକା ପରୀକ୍ଷା (ଜେଇଇ ମେନ୍) ହେବାର ସମ୍ଭାବନା‌ ବୃଦ୍ଧି ପାଇଛି। ଗତକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀଆଲ ନିଶଙ୍କ ଆସନ୍ତା ୨୦୨୧ରୁ ଅନେକ ଆଞ୍ଚଳିକ ଭାଷାରେ ଯୁଗ୍ନ ପ୍ରବେଶିକା ପରୀକ୍ଷା (ଜେଇଇ ମେନ)ର କରାଯିବାକୁ ନେଇ ଘୋଷଣା କରିବା ପରେ ଓଡ଼ିଆ ଭାଷାରେ ପରୀକ୍ଷା କରାଯିବା ଏକ ପ୍ରକାର ନିଶ୍ଚିତ ‌ବୋଲି ଅନୁମାନ କରାଯାଇଛି।

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅର୍ନ୍ତଗତ ଯୁଗ୍ନ ଆଡମିସନ ବୋର୍ଡର ଗୁରୁତ୍ବପୂର୍ଣ୍ଣ ବୈଠକରେ ଜେଇଇ(ମେନ)କୁ ଆଞ୍ଚଳିକ ଭାଷାରେ ଆୟୋଜନ କରାଯିବାର ଦୁଇଟି ବିକଳ୍ପ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ପ୍ରଥମ ବିକଳ୍ପ ଅନ୍ତର୍ଗତ ଯେଉଁ ସବୁ ରାଜ୍ୟମାନଙ୍କ ଦ୍ବାରା ଇନଜିନିୟରିଂ ଓ ଆର୍କିଟେକଟର ପାଠ୍ୟକ୍ରମ ପାଇଁ ଆଞ୍ଚଳିକ ଭାଷାରେ ପ୍ରବେଶିକା ପରୀକ୍ଷା କରାଯାଉଛି ସେସବୁ ରାଜ୍ୟର ଆଞ୍ଚଳିକ ଭାଷାରେ ଜେଇଇ (ମେନ) ପରୀକ୍ଷା କରାଯିବ।  ଦ୍ବିତୀୟ ବିକଳ୍ପ ଅନ୍ତର୍ଗତ ଯେଉଁସବୁ ରାଜ୍ୟମାନେ ଦ୍ବାରା ଜେଇଇ (ମେନ) ପରୀକ୍ଷାର ଅଂଶବିଶେଷ ରହିଛନ୍ତି ସେସବୁ ରାଜ୍ୟର ଭାଷାରେ ପରୀକ୍ଷା କରାଯାଇ ପାରିବ। ଯଦିବା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଦ୍ବାରା ଯୁଗ୍ନ ପ୍ରବେଶିକା ପରୀକ୍ଷା (ମେନ)ରେ ସାମିଲ କରାଯିବାକୁ ଥିବା ଆଞ୍ଚଳିକ ଭାଷାଗୁଡ଼ିକ‌ର ନାମ ଘୋଷଣା କରାଯାଇ ନାହିଁ, ତେବେ ଜାତୀୟ ଟେଷ୍ଟିଂ ଏଜେନ୍ସି ଦ୍ବାରା ରାଜ୍ୟମାନଙ୍କ ପାଖରୁ ସେମାନଙ୍କ ରାଜ୍ୟର ଭାଷାକୁ ସାମିଲ କରିବାର ଆବେଦନ ପାଇବା ପରେ ଭାଷାଗୁଡ଼ିକ ଚୁଡାନ୍ତ କରାଯିବ। ବିଶ୍ବସ୍ତ ସୂତ୍ରରୁ ‘ସମ୍ବାଦ’କୁ ଜଣାପଡ଼ିଛି ଓଡ଼ିଆ ଭାଷା ସମତେ ଉର୍ଦ୍ଦୁ, ବଙ୍ଗଳା, ଆସାମୀ, କନ୍ନଡ, ମରାଠୀ, ତାମିଲ , ତେଲୁଗୁ ସମେତ ୧୧ଟି ଭାଷାକୁ ଚୂଡାନ୍ତ ତାଲିକାରେ ସାମିଲ କରାଯିବ।

ସୂଚନାଯୋଗ୍ୟ, ହିନ୍ଦୀ ଓ ଇଂରାଜୀ ବ୍ୟତୀତ ଓଡିଆ, ଆସାମୀ, ବଙ୍ଗଳା, ଗୁଜରାଟୀ, କନ୍ନଡ଼, ମରାଠୀ, ତେଲୁଗୁ, ତାମିଲନାଡୁ, ଉର୍ଦ୍ଦୁରେ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟର ଆୟୋଜନ କରାଯାଇଛି। ଅପରପକ୍ଷେ ବର୍ତ୍ତମାନ ଜେଇଇ (ମେନ) ଇଂରାଜୀ,ହିନ୍ଦୀ ଓ ଗୁଜୁରାଟୀ ଭାଷାରେ ହେଉଛି। ଓଡ଼ିଆ ଭାଷାରେ ଜେଇଇ (ମେନ) ପରୀକ୍ଷା କରାଯିବାର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ରାଜ୍ୟରେ ଇଞ୍ଜିନିୟରିଂ ପରୀକ୍ଷା ପାଇଁ ପ୍ରବେଶିକା ପରୀକ୍ଷା ଓଡ଼ିଆ ଭାଷାରେ ହେଉଛି।

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସୂତ୍ର ଅନୁସାରେ, ଆଞ୍ଚଳିକ ଭାଷାରେ ଜେଇଇ (ମେନ) ପରୀକ୍ଷା କରାଯିବା ଦ୍ବାରା ଛାତ୍ରଛାତ୍ରୀମାନେ ପ୍ରଶ୍ନଗୁଡ଼ିକୁ ସଠିକ ରୂପେ ବୁଝିବା ସହିତ ପରୀକ୍ଷାରେ ଅଧିକ ନମ୍ବର ହାସଲ କରିପାରିବେ। ଚଳିତ ବର୍ଷ ଜୁଲାଇରେ କେନ୍ଦ୍ର ସରକାରଙ୍କ ଦ୍ବାରା ଅନୁମୋଦନ କରାଯାଇଥିବା ନୂତନ ଶିକ୍ଷାନୀତିରେ ମାତୃଭାଷା ସ୍ଥାନୀୟ ଭାଷା ଓ ଆଞ୍ଚଳିକ ଭାଷାକୁ ଯଥେଷ୍ଟ ଗୁରୁତ୍ବ ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଓଡ଼ିଆ ଭାଷାକୁ ୨୦୧୪ରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିବା ପରେ ଜାତୀୟସ୍ତରରେ ଏହାର ଗୁରୁତ୍ବ ଯ‌ଥେଷ୍ଟ ରୂ‌ପେ ବୃଦ୍ଧି ପାଇଛି। ସଂସଦର ଉଭୟ ଗୃହରେ ସାଂସଦମାନେ ବିତର୍କରେ ଭାଗ ନେବା ବେଳେ ଓଡ଼ିଆ ଭାଷା ବ୍ୟବହାର କରୁଛନ୍ତି। ପିଏମ ଇଣ୍ଡିଆ ୱେବସାଇଟ ଓଡ଼ିଆ ଭାଷା‌ରେ ଉପଲବ୍ଧ ହେଉଛି। ଏତଦବ୍ୟତୀତ ସୁପ୍ରିମକୋର୍ଟରେ ଭେରନାକୁଲାର ଜଜମେଣ୍ଟସ୍ ବିଭାଗରେ ଓଡ଼ିଆ ଭାଷାରେ ଗୁରୁତ୍ବପୂର୍ଣ୍ଣରାୟ ଉପଲବ୍ଧ କରାଯାଉଛି।

ସମ୍ବନ୍ଧିତ ଖବର