ଜେଇଇ-ନିଟ୍‌ ପରୀକ୍ଷା ଜାରି ରହିବ, ୬ ଅଣବିଜେପି ରାଜ୍ୟର ରିଭ୍ୟୁ ପିଟିସନ୍‌ ଖାରଜ

ନୂଆଦିଲ୍ଲୀ : କରୋନା ମହାମାରୀ ମଧ୍ୟରେ ଜେଇଇ ଏବଂ ନିଟ୍‌ ପରୀକ୍ଷା ସ୍ଥଗିତ ରଖିବାପାଇଁ ସୁପ୍ରିମକୋର୍ଟରେ ୬ ଅଣ ବିଜେପି ରାଜ୍ୟ ପକ୍ଷରୁ କରାଯାଇଥିବା ଆବେଦନକୁ ଦେଶର ସର୍ବୋଚ୍ଚ ଅଦାଲତ ଆଜି ଖାରଜ କରିଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ କୋର୍ଟ ଦେଇଥିବା ପୂର୍ବ ରାୟର ପୁନଃ ସମୀକ୍ଷା କରିବାପାଇଁ ୬ ଅଣ ବିଜେପି ରାଜ୍ୟର କ୍ୟାବିନେଟ୍‌ ମନ୍ତ୍ରୀମାନେ ସୁପ୍ରିମକୋର୍ଟ‌୍‌ରେ ରିଭ୍ୟୁ ପିଟିସନ୍‌ ଦାଖଲ କରିଥିଲେ। କିନ୍ତୁ କୋର୍ଟ ଏହି ଆବେଦନକୁ ଖାରଜ କରିବା ସହ ପରୀକ୍ଷା ଜାରି ରହିବ ବୋଲି କହିଛନ୍ତି। ଉକ୍ତ ଆବେଦନ ଉପରେ ବିଚାର କରିବାପରେ ଜଷ୍ଟିସ୍‌ ଅଶୋକ ଭୂଷଣ, ବି.ଆର୍‌ ଗବାଇ ଏବଂ କୃଷ୍ଣ ମୁରାରୀଙ୍କ ଖଣ୍ଡପୀଠ କହିଛନ୍ତି, ଉକ୍ତ ଆବେଦନରେ କୌଣସି ଯଥାର୍ଥତା ନାହିଁ। ପରୀକ୍ଷା ଯଥାରୀତି ସମ୍ପର୍ଣ୍ଣ ହେବ ଏବଂ ପରୀକ୍ଷା ସଂକ୍ରାନ୍ତ କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ ମଧ୍ୟ ହେବନାହିଁ । ଉଲ୍ଲେଖଯୋଗ୍ୟ ପୂର୍ବରୁ ଜେଇଇ ନିଟ୍‌ ପରୀକ୍ଷା ସ୍ଥଗିତ ରଖିବାପାଇଁ ୧୧ ଟି ରାଜ୍ୟର ୧୧ ଜଣ ଛାତ୍ରଙ୍କ ଦ୍ବାରା ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ। ସୁପ୍ରିମକୋର୍ଟ‌୍ ତାଙ୍କ ପୂର୍ବ ରାୟ‌ରେ ମେଡିକାଲ ଏବଂ ଇଂଜିନିୟରିଂ ଏଣ୍ଟ‌୍ରାନ୍ସ ପରୀକ୍ଷା ପ୍ରସଙ୍ଗରେ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଥିଲେ। କୋର୍ଟ କହିଥିଲେ ଜୀବନ ନିଶ୍ଚିତ ଆଗକୁ ବଢ଼ିବ ଏବଂ ଛାତ୍ରଛାତ୍ରୀମାନେ ମହାମାରୀ ପାଇଁ ଗୋଟିଏ ମୂଲ୍ୟବାନ ବର୍ଷ ହରାଇପାରିବେ ନାହିଁ। ଜେଇଇ-ନିଟ୍‌ ପରୀକ୍ଷା ନିର୍ଦ୍ଧାରିତ ଯୋଜନା ମୁତାବକ କରିବାପାଇଁ କୋର୍ଟ ଅନୁମତି ଦେଇଥିଲେ।

କିନ୍ତୁ କୋର୍ଟ ଦେଇଥିବା ରାୟର ସମୀକ୍ଷା ପାଇଁ ଅନୁରୋଧ କରି ୬ ଅଣ ବିଜେପି ରାଜ୍ୟ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ପଂଜାବ, ରାଜସ୍ଥାନ, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ପୁଡ଼ୁଚେରୀର କ୍ୟାବିନେଟ୍‌ ମନ୍ତ୍ରୀମାନେ ରିଭ୍ୟୁ ପିଟିସନ୍‌ ଦାଖଲ କରିଥିଲେ। ଛାତ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ସୁପ୍ରିମକୋର୍ଟ ତାଙ୍କ ରାୟର ପୁନଃ ସମୀକ୍ଷା କରିବାପାଇଁ ‌ସେମାନେ କହିଥିଲେ।

ସମ୍ବନ୍ଧିତ ଖବର