ୱାସିଂଟନ: ଆମେରିକାର ଯୌନ ଅପରାଧୀ ଜେଫ୍ରି ଏପ୍‌‌‌ଷ୍ଟିନ୍‌କୁ ନେଇ ସାରା ବିଶ୍ବରେ ଚହଳ ସୃଷ୍ଟି ହୋଇଛି। ଏପ୍‌‌ଷ୍ଟିନ୍‌ର ଯୌନ ଅପରାଧର କଳା ସାମ୍ରାଜ୍ୟ କେବଳ ଆମେରିକାରେ ସୀମିତ ନଥିଲା। ବିଶ୍ବର ବହୁ ବିତ୍ତଶାଳୀ, ପ୍ରଭାବଶାଳୀ ବ୍ୟକ୍ତିଙ୍କ ତା’ ସହିତ ସମ୍ପର୍କରେ ଥିଲେ। ଏପ୍‌ଷ୍ଟିନ୍‌ ଯୌନ ଅପରାଧ ନେଟୱର୍କରେ ଝିଅମାନଙ୍କୁ ସାମିଲ କରିବାକୁ ବହୁ ପ୍ରକାରର କାରସାଦି କରୁଥିଲା। ‘ଇଣ୍ଡିଆ ଟୁଡେ’ ସହିତ ସ୍ବତନ୍ତ୍ର ଭାବେ କଥାବାର୍ତ୍ତାରେ ରୀନା ଓହ ନାମକ ଜଣେ ପୀଡ଼ିତା ତାଙ୍କ ସହିତ ଘଟିଥିବା ନିର୍ଯାତନାର କାହାଣୀ ବଖାଣିଛନ୍ତି। ଏପ୍‌ଷ୍ଟିନକୁ ସେ ଜଣେ ଉଗ୍ର ସ୍ବଭାବର ମାନସିକ ରୋଗୀ ଦର୍ଶାଇବା ସହିତ ସେ କିପରି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ସେ ନେଇ ଲୋମ ଟାଙ୍କୁରା ଘଟଣାଗୁଡ଼ିକୁ ମନେପକାଇଛନ୍ତି।

Advertisment

ମୋଧାବୃତ୍ତି ପାଇବା ଖୁସିରେ ସେ ଫସି ଯାଇଥିଲେ

ରୀନା ଓହ କହିଥିଲେ, ୯୦ ଦଶକ ବେଳେ ସେ ଜଣେ ଛାତ୍ରୀ ଥିଲେ। ଲଳିତ କଳାରେ ସ୍ନାତକ କରିବାକୁ ଏପ୍‌ଷ୍ଟିନ୍‌ ତାଙ୍କୁ ମେଧାବୃତ୍ତି ଦେବାକୁ ପ୍ରସ୍ତାବ ଦେଇଥିଲେ। ମୋଧାବୃତ୍ତି ପାଇବା ଖୁସିରେ ସେ ଫସି ଯାଇଥିଲେ। ଏପ୍‌ଷ୍ଟିନ୍‌ ତାଙ୍କୁ ବିନା ସର୍ତ୍ତରେ ମେଧାବୃତ୍ତି ଦେବାକୁ କହିଥିଲା, ତା’ ସହିତ ଆଉ କେବେ ଦେଖା ହେବନି ବୋଲି କହିଥିଲା। କିନ୍ତୁ ବାରମ୍ବାର ତାକୁ ଦେଖା କରିବାକୁ ଡାକୁଥିଲା। ତା’ କଥା ନ ମାନିଲେ ମେଧାବୃତ୍ତି ଫେରାଇ ନେବାକୁ କହିଥିଲା। ତାଙ୍କ ପାଖରେ ଯିବାଆସିବା ପାଇଁ ଟଙ୍କା ନଥିଲା, ସେ ଯଦି ଏ ବିଷୟରେ କାହାକୁ କହିବେ ତାଙ୍କୁ ଅଧିକ ଶାରୀରିକ କ୍ଷତି ପହଞ୍ଚାଇବାକୁଏପ୍‌ଷ୍ଟିନ୍‌ ଧମକ ଦେଉଥିଲା ବୋଲି ରୀନା କହିଛନ୍ତି। ରୀନାଙ୍କୁ ଏବେ ୪୦ ବର୍ଷରୁ ଅଧିକ ହୋଇଥିବାବେଳେ ୯୦ ଦଶକର ଶେଷ ଆଡ଼କୁ ତାଙ୍କୁ ମାତ୍ର ୨୧ ବର୍ଷ ହୋଇଥିଲା। ସେ ସେତେବେଳେ ସଂଘର୍ଷରତ ଜଣେ କଳା ଛାତ୍ରୀ ଥିବାବେଳେ ଏପ୍‌ଷ୍ଟିନ୍‌ ଜାଲରେ ପଡ଼ି ଯାଇଥିବା କହିଥିଲେ। ତାଙ୍କ ଉପରେ ହୋଇଥିବା ନିର୍ଯାତନା ନେଇ ସେ ଦଶନ୍ଧି ଧରି ନିରବ ରହିଥିଲେ ମଧ୍ୟ ଏବେ ଆଉ କେହି ତାଙ୍କୁ ଅଣଦେଖା କରିପାରିବେନି ବୋଲି କହିଛନ୍ତି।

ଫ୍ଲୋରିଡା ଟ୍ରିପ୍‌ ତାଙ୍କ ପାଇଁ ସବୁଠୁ ଭୟଙ୍କର ରହିଥିଲା

‘ଇଣ୍ଡିଆ ଟୁଡେ’କୁ ରୀନା କହିଥିଲେ ଯେ, ଫ୍ଲୋରିଡା ଟ୍ରିପ୍‌ ତାଙ୍କ ପାଇଁ ସବୁଠୁ ଭୟଙ୍କର ରହିଥିଲା। ସେ ପୂର୍ବରୁ କେବେ ସେଠାକୁ ଯାଇ ନଥିଲେ। ଏପ୍‌ଷ୍ଟିନ ମାମଲା ସହିତ କଥିତ ଲିଙ୍କ୍ ପାଇଁ ଆଣ୍ଡ୍ରୁ ମାଉଣ୍ଟବ୍ୟାଟେନ-ୱିଣ୍ଡସରଙ୍କ ଗିରଫଦାରୀ ଉପରେ ସେ ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ, ଏହା କେବଳ ଆରମ୍ଭ ମାତ୍ର। ଆମେରିକା ସରକାର ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଏପ୍‌ଷ୍ଟିନ୍‌ ଫାଇଲରେ ଯାହା ଯାହା ନାଁ ରହିଛି ସମସ୍ତଙ୍କୁ ପଚରାଉଚରା କରାଯିବ କଥା। ଏଥିରେ ବିଶ୍ବର ପ୍ରମୁଖ ଧନୀ ଓ ଶକ୍ତିଶାଳୀ ଲୋକ ଅଛନ୍ତି। ଏପରିକି ରାଜନେତା ମଧ୍ୟ ଅଛନ୍ତି। ଆମେରିକା ରା‌ଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବି ଏଥିରେ ସାମିଲ କରିବାକୁ ସେ କହିଥିଲେ। ଏପ୍‌ଷ୍ଟିନ୍‌ କେବଳ ଶାରୀରିକ ନିର୍ଯାତନା ଦେଉନଥିଲା, ମାନସିକ ତଥା ଭାବନାତ୍ମକ ଭାବେ ନିର୍ଯାତନା ଦେଉଥିଲା। ଏଥିରୁ ମୁକ୍ତି ପାଇବାକୁ ତାଙ୍କୁ ଦଶନ୍ଧି ଲାଗିଥିଲା। ଏପ୍‌‌ଷ୍ଟିନ୍‌ ଫାଇଲ୍ସରେ ଯେଉଁମାନଙ୍କ ନାଁ ରହିଛି ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ରୀନା କହିଥିଲେ।

ଆହୁରି ପଢ଼ନ୍ତୁ: Trump again demands mediation: ଭାରତ- ପାକିସ୍ତାନ ବିବାଦରେ ମଧ୍ୟସ୍ଥତା ନେଇ ପୁଣି ଟ୍ରମ୍ପଙ୍କ ଦାବି କହିଲେ ୧୧ ଦାମୀ ଜେଟ୍‌ ଖସାଇ ଦିଆଯାଇଥିଲା