ନୈଷ୍ଠିକ ବ୍ରାହ୍ମଣ ଯାତ୍ରୀଙ୍କୁ ବିମାନ ଭିତରେ ଆମିଷ ଖାଦ୍ୟ ଦେବା ମହଙ୍ଗା ପଡ଼ିଲା; ୬୫ ହଜାରର ତଣ୍ଡ ଗଣିଲା ଜେଟ୍‌ ଏୟାରେଓ୍ଵଜ୍‌

ନୂଆଦିଲ୍ଲୀ: ଜନ୍ମରୁ ନିରାମିଷ ଖାଦ୍ୟ ଭକ୍ଷଣ କରି ଆସୁଥିବା ଜନୈକ ନୈଷ୍ଠିକ ବ୍ରାହ୍ମଣ ବିମାନ ଯାତ୍ରୀଙ୍କୁ ବିମାନ ଭିତରେ ଆମିଷ ଖାଦ୍ୟ ପରଷିବା ଜେଟ୍‌ ଏୟାରେଓ୍ଵଜ୍‌ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏଥିପାଇଁ ୬୫ ହଜାରର ତଣ୍ଡ ଗଣିବା ପାଇଁ ପଡ଼ିଛି ଜେଟ୍‌ ଏୟାରେଓ୍ଵଜ୍‌ କର୍ତ୍ତୃପକ୍ଷଙ୍କୁ।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ରାଜକୋଟର ବାସିନ୍ଦା ବାନୁପ୍ରସାଦ ଜୈନ ହେଉଛନ୍ତି ଜଣେ ନୈଷ୍ଠିକ ଜୈନ ବ୍ରାହ୍ମଣ। ସେ ତାଙ୍କ ଜୀବନରେ କେବେ ହେଲେ ଆମିଷ ଖାଦ୍ୟ ଖାଇବାତ ଦୂରର କଥା ସ୍ପର୍ଶ ସୁଦ୍ଧା କରି ନାହାନ୍ତି। ହେଲେ, ଗତ ୨୦୧୬, ଅଗଷ୍ଟ ୨୦ ତାରିଖରେ ବାନୁପ୍ରସାଦ ଜେଟ୍‌ ଏୟାରେଓ୍ଵଜ୍‌ ବିମାନରେ ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ବେଳେ ନିଜର ମଧ୍ୟହ୍ନ ଭୋଜନ ପାଇଁ ବିମାନ ପରିଚାରିକାଙ୍କୁ ନିରାମିଷ ଖାଦ୍ୟ ପାଇଁ ବରାଦ ଦେଇଥିଲେ। ହେଲେ, ବିମାନ ପରିଚାରିକା ତାଙ୍କୁ ଆଣି ଧରାଇଥିଲେ ଆମିଷ ଖାଦ୍ୟ ଥିବା ମଧ୍ୟାହ୍ନ ଭୋଜନ ପ୍ୟାକେଟ। ଏକଥା ଜାଣିପାରି ନଥିଲେ ବାନୁପ୍ରସାଦ।

ବାନୁପ୍ରସାଦ ଯେତେବେଳେ ଖାଇବା ଆରମ୍ଭ କଲେ, ସେତେବେଳେ ଲଞ୍ଚ ପ୍ୟାକେଟରେ ଥିବା ଖାଦ୍ୟ ସବୁର ସ୍ୱାଦ ତାଙ୍କୁ ଭିନ୍ନ ପ୍ରକାରର ଲାଗିଥିଲା। ତେଣୁ, ସେ ଆଉ ଖାଇ ନଥିଲେ। ହେଲେ, ଜୀବନରେ କେବେବି ଆମିଷ ଖାଇ ନଥିବା ବେନୁପ୍ରସାଦ ଏସବୁ ଯେ ଆମିଷ ଖାଦ୍ୟ ତାହା ମଧ୍ୟ ସେତେବେଳେ ସେ ଜାଣି ପରି ନଥିଲେ। କିନ୍ତୁ, ଆମିଷ ଖାଦ୍ୟ ପ୍ୟାକେଟରୁ ସେ ଯେତିକି ଖାଦ୍ୟ ଗ୍ରହଣ କରିଥିଲେ, ତାହା ତାଙ୍କ ଶରୀରରେ ପ୍ରତିକ୍ରିୟା ସୃଷ୍ଟି କରିଥିଲା। ଫଲରେ ତାଙ୍କର ପ୍ରବଳ ମାତ୍ରାରେ ବାନ୍ତି ହେବା ସହ ବିମାନ ମଧ୍ୟରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ପରେ, ସେ ଜାଣିବାକୁ ପାଇଥିଲେ ଯେ ନିରାମିଷ ଖାଦ୍ୟ ବଦଳରେ ଆମିଷ ଖାଦ୍ୟ ଖାଇଥିବାରୁ ତାଙ୍କର ଏ ଅବସ୍ଥା ହୋଇଛି। ଏ ଘଟଣା ତାଙ୍କୁ ମାନସିକ ସ୍ତରରେ ଗଭୀର ଅଘାତ ଦେଇଥିଲା।

ପରେ ରାଜକୋଟ ପହଞ୍ଚିବା ପରେ ବାନୁପ୍ରସାଦ ଜେଟ୍‌ ଏୟାରେଓ୍ଵଜ୍‌ ବିରୋଧରେ ୭ ଲକ୍ଷ ୨୫ ହଜାର ଟଙ୍କାର କ୍ଷତିପୂରଣ ଦାବି କରି ରାଜକୋଟ ଖାଉଟି ଅଦାଲତରେ ଏକ ମାମଲା ଆଗତ କରିଥିଲେ। ଖାଉଟି ଅଦାଲତର ବିଚାରପତି ଏହି ମାମଲାରେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ବାନୁପ୍ରସାଦଙ୍କୁ ୬୫ ହଜାର ଟଙ୍କା କ୍ଷତିପୂରଣ ବାବଦରେ ପ୍ରଦାନ କରିବା ପାଇଁ ମଙ୍ଗଳବାର ଦିନ ଜେଟ୍‌ ଏୟାରେଓ୍ଵଜ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର