ନୂଆଦିଲ୍ଲୀ: ଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲଙ୍କ ପତ୍ନୀ ଅନୀତା ଗୋୟଲଙ୍କ ଗୁରୁବାର ସକାଳେ ମୁମ୍ବାଇର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି କର୍କଟ ରୋଗ ଲଢ଼େଇ କରି ଶେଷରେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ନିକଟରେ ଅନ୍ତରୀଣ ଜାମିନ ପାଇଥିବା ନରେଶ ଗୋୟଲ ଶେଷ ନିଶ୍ବାସ ନେବା ବେଳେ ତାଙ୍କ ପତ୍ନୀଙ୍କ ସହ ଥିଲେ।
ପରିବାରର ନିକଟତମ ସୂତ୍ରରୁ ପ୍ରକାଶ ପାଇଛି ଯେ ଅନୀତା ଗୋୟଲଙ୍କର ଭୋର୍ ପ୍ରାୟ ୩ଟା ବେଳେ ଦେହାନ୍ତ ହୋଇଛି। ଏହି ଖବର ପାଇବା ପରେ ବନ୍ଧୁ ଏବଂ ପରିବାର ସଦସ୍ୟ ଡାକ୍ତରଖାନାରେ ଏକାଠି ହୋଇଛନ୍ତି। ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ରହିଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ନରେଶ ଗୋୟଲ ମଧ୍ୟ କର୍କଟ ରୋଗରେ ପୀଡିତ।
ମେ ୩ ତାରିଖରେ ନରେଶ ଗୋୟଲଙ୍କ ଓକିଲ ବମ୍ବେ ହାଇକୋର୍ଟଙ୍କୁ କହିଥିଲେ ଯେ ଜେଟ ଏୟାରୱେଜର ପ୍ରତିଷ୍ଠାତା ଡାକ୍ତରୀ କାରଣ ଦର୍ଶାଇ ଜାମିନ ଆବେଦନ କରିଥିବା ବେଳେ ସେ ବଞ୍ଚିବାର ଇଚ୍ଛା ହରାଇ ସାରିଛନ୍ତି।
ତେବେ ଡାକ୍ତରୀ କାରଣ ହେତୁ ମେ ୬ ତାରିଖରେ ମ୍ବେ ହାଇକୋର୍ଟ ନରେଶ ଗୋୟଲଙ୍କୁ ୨ ମାସ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଗତ ଫେବ୍ରୁଆରିରେ ଏକ ସ୍ୱତନ୍ତ୍ର କୋର୍ଟ ନରେଶ ଗୋୟଲଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ। କିନ୍ତୁ ତାଙ୍କୁ ନିଜ ପସନ୍ଦର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ଏବଂ ଚିକିତ୍ସା ପାଇଁ ଅନୁମତି ଦେଇଥିଲେ।
ସେପ୍ଟେମ୍ବର ୨୦୨୩ ରେ ନରେଶ ଗୋୟଲଙ୍କୁ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା। ନଭେମ୍ବର ୨୦୨୩ ମସିହାରେ ତାଙ୍କ ପତ୍ନୀ ଅନୀତା ଗୋୟଲଙ୍କୁ ଗିରଫ କରାଯାଇଥିଲା।