ବିମାନ ଇନ୍ଧନ ଦର ବଢ଼ିଲା ୬%, ଏଲ୍‌ପିଜି ସିଲିଣ୍ଡର ପ୍ରତି ୧.୫୦ଟଙ୍କା ମହଙ୍ଗା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ବିମାନ ଇନ୍ଧନ(ଆଭିଏସନ ଟରବାଇନ ଫୁଏଲ-ଏଟିଏଫ୍‌) ଦର ରବିବାର ୬ ପ୍ରତିଶତ ବଢ଼ିଥିବା ବେଳେ, ରୋଷେଇ ଗ୍ୟାସ ସିଲିଣ୍ଡର ପ୍ରତି ୧ଟଙ୍କା ୫୦ ପଇସା ବଢ଼ିଛି। ଦେଶର ବଡ଼ ତେଲ ବିପଣନ କମ୍ପାନି ‘ଇଣ୍ଡିଆନ ଅଏଲ କର୍ପୋରେସନ’ କହିବା ଅନୁସାରେ ବର୍ତମାନ ଦିଲ୍ଲୀରେ ବିମାନ ଇନ୍ଧନ କିଲୋ ଲିଟର ପ୍ରତି ୫୩,୦୪୫ଟଙ୍କା ହେବ। ପୂର୍ବରୁ ଏହାର ଦର ୫୦,୦୨୯ଟଙ୍କା ଥିଲା। ଅଗଷ୍ଟ ପରେ ୩ୟ ଥର ପାଇଁ ବିମାନ ଇନ୍ଧନ ଦର ବଢ଼ିଥିବା ଜଣାପଡ଼ିଛି। ଗତ ଥର ସେପ୍ଟେମ୍ବର ୧ରେ ଏଟିଏଫ୍‌ ମୂଲ୍ୟ ୪ପ୍ରତିଶତ(୧,୯୧୦ଟଙ୍କା କିଲୋଲିଟର ପ୍ରତି) ବଢ଼ିଥିଲା।

ରୋଷେଇ ଗ୍ୟାସ(ଏଲ୍‌ପିଜି) ମୂଲ୍ୟ ସିଲିଣ୍ଡର ପ୍ରତି ୧ଟଙ୍କା ୫୦ପଇସା ବୃଦ୍ଧି ହୋଇଛି। ପୂର୍ବରୁ ସରକାର କହିଛନ୍ତି ଯେ, ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରତି ମାସରେ ଏଲପିଜି ଦର ବଢ଼ିବ। ଦିଲ୍ଲୀରେ ୧୪.୨କିଲୋ ଯୁକ୍ତ ଏଲପିଜି ସିଲିଣ୍ଡର ପ୍ରତି ଉପଭୋକ୍ତାଙ୍କୁ ରବିବାର ଠାରୁ ୪୮୮.୬୮ଟଙ୍କା ଦେବାକୁ ପଡ଼ିବ। ପୂର୍ବରୁ ଏହା ଏଲପିଜି ସିଲିଣ୍ଡର ପ୍ରତି ୪୮୭.୧୮ଟଙ୍କା ଦେବାକୁ ପଡୁଥିଲା।

ଲୋକସଭାରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଜୁଲାଇ ୩୧ରେ କହିଥିଲେ ଯେ, ସରକାର ତୈଳ କମ୍ପାନିମାନଙ୍କୁ ସବସିଡ଼ି ଦ୍ୱାରା ଯୋଗାଯାଉଥିବା ଗ୍ୟାସ ଦର ବଢ଼ାଇବାକୁ କହିଛନ୍ତି। ଏହି ଦର ମାର୍ଚ୍ଚ ପର୍ଯ୍ୟନ୍ତ ୪ପ୍ରତିଶତ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରଧାନ କହିଥିଲେ। ଅଗଷ୍ଟ ପରେ ସିଲିଣ୍ଡର ପ୍ରତି ଏପର୍ଯ୍ୟନ୍ତ ଗ୍ୟାସ ଦର ୨.୩୧ଟଙ୍କା ବଢ଼ିଛି। ପଲିସି ଲାଗୁ ହେବା ପରେ ଏଲ୍‌ପିଜି ସିଲିଣ୍ଡର ପ୍ରତି ୬୯.୫୦ଟଙ୍କା ବଢ଼ିଛି। ପୂର୍ବରୁ ୨୦୧୬ ଜୁନରେ ଗ୍ୟାସ ସିଲିଣ୍ଡର ପ୍ରତି ୪୧୯.୧୮ଟଙ୍କା ଥିଲା। ସରକାର ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ(ବିପିସିଏଲ) ଓ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡକୁ ଗ୍ୟାସ ଦର ବଢ଼ାଇବାକୁ କହିଥିଲେ।

ସମ୍ବନ୍ଧିତ ଖବର