ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ ଚୁକ୍ତିକୁ ନେଇ କଂଗ୍ରେସ ଲଗାତାର ମୋଦୀ ସରକାରକୁ ଘେରୁଥିବା ବେଳେ ଆଜି ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଏ ବାବଦରେ କଂଗ୍ରେସକୁ ଚ୍ୟାଲେଂଜ କରିଛନ୍ତି। ରାଫେଲର ଦର ନେଇ କଂଗ୍ରେସ ନେତାମାନେ ଯଦି ସତ କହୁଛନ୍ତି ତ’ହେଲେ ଏହାର ପ୍ରମାଣ ଲୋକଙ୍କ ନିକଟରେ ଉପସ୍ଥାପନ କରନ୍ତୁ ବୋଲି ଜେଟ୍୍ଲି କହିଛନ୍ତି। ୟୁପିଏ ସରକାର ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ୨୦୦୭ରେ ଫ୍ରାନ୍୍ସ ସହିତ ଯେଉଁ ଚୁକ୍ତି କରିଥିଲେ ତାହାକୁ ସାକାର କରିପାରି ନଥିଲେ। ବର୍ତ୍ତମାନର ଏନ୍୍ଡିଏ ସରକାର ପ୍ରତ୍ୟେକ ଯୁଦ୍ଧ ବିମାନକୁ ୨୦ ପ୍ରତିଶତ କମ୍ ଦରରେ ଚୁକ୍ତି ସଂପନ୍ନ କରିବାକୁ ସକ୍ଷମ ହୋଇଛି। ତେବେ କଂଗ୍ରେସ ଏହି ମାମଲାରେ ଲଗାତାର ଦେଶବାସୀଙ୍କୁ ବିଭ୍ରାନ୍ତ କରିବାକୁ ପ୍ରୟାସ ଚଳାଇଛି ଏବଂ ଏହି ଦଳ ଜାତୀୟ ନିରାପତ୍ତା ସହ ଖେଳୁଛି ବୋଲି ଜେଟ୍୍ଲି କହିଛନ୍ତି। ନ୍ୟୁଜ୍ ଏଜେନ୍୍ସି ଏଏନ୍୍ଆଇକୁ ଦେଇଥିବା ସାକ୍ଷାତକାରରେ ଜେଟ୍୍ଲି କହିଛନ୍ତି ଯେ ଏହି ଚୁକ୍ତିରେ ମିଳିବାକୁ ଥିବା ପ୍ରତ୍ୟେକଟି ବିମାନ ତତ୍କାଳ ବ୍ୟବହାରକ୍ଷମ ଏବଂ ପୂର୍ବର ବିମାନ ଅପେକ୍ଷା ଅଧିକ ଶକ୍ତିଶାଳୀ। ସମସ୍ତ ଅସ୍ତ୍ରଶସ୍ତ୍ର ଖଂଜା ଯାଇଥିବା ବିମାନର ତୁଳନା ଏକ ସାଧାରଣ ବିମାନ ସହିତ କଂଗ୍ରେସ କରୁଛି ଏବଂ ଏଭଳି କରି ନାନାଦି ଅପପ୍ରଚାର ଚଳାଇଛି ବୋଲି ଜେଟ୍ଲି କହିଛନ୍ତି। ଯଦି ୨୦୧୨ରେ ଏହି ଚୁକ୍ତି ସଂପନ୍ନ ହୋଇଥାନ୍ତା ତାହେଲେ ପ୍ରଥମ ପର୍ଯ୍ୟାୟରେ ୨୦୧୭ ସୁଦ୍ଧା ଦେଶକୁ ରାଫେଲ୍ ମିଳିସାରନ୍ତାଣି ବୋଲି ସେ କହିଛନ୍ତି।
୨୦୦୭ ରାଫେଲ୍ ଅଫର୍କୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭିନ୍ନ ଭିନ୍ନ ଭାଷଣରେ ୭ ପ୍ରକାର ଦର କହିଥିବା ବେଳେ ସେ ଏ ବାବଦରେ ଏବେ ବି ସଂପୂର୍ଣ୍ଣ ଅଜ୍ଞ ଅଛନ୍ତି। ପ୍ରାଥମିକ ବିଦ୍ୟାଳୟରେ ହେଉଥିବା ବିତର୍କ ଭଳି ରାହୁଲ ଗାନ୍ଧୀ ଯୁକ୍ତି କରୁଛନ୍ତି ବୋଲି ସେ କହିଛନ୍ତି। କଂଗ୍ରେସ ଦଳକୁ ଚ୍ୟାଲେଂଜ କରି ଜେଟଲି କହିଛନ୍ତି ଯେ ଏନ୍ଡିଏ ସରକାରଙ୍କ ରାଫେଲ ଚୁକ୍ତି ଦେଶ ହିତରେ ହୋଇନାହିଁ ବୋଲି କଂଗ୍ରେସ ପ୍ରମାଣ ଦେବା ଜରୁରୀ। ରାହୁଲ ଗାନ୍ଧୀ ଦିଲ୍ଲୀରେ ପ୍ରଥମେ ଗୋଟିଏ ରାଫେଲ ବିମାନର ଦାମ ୭୦୦ କୋଟି ଟଙ୍କା ଦର୍ଶାଇଥିବା ବେଳେ ସଂସଦରେ ଏହାର ଦାମ କମାଇ ୫୨୦ କୋଟି ଟଙ୍କା କହିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ଅଭିଯୋଗକୁ ଦୋହରାଇ ରାଫେଲ ନିର୍ମାଣ ପ୍ରକ୍ରିୟାରୁ ହିନ୍ଦୁସ୍ତାନ ଏରୋନଟିକ୍୍ସ ଲିମିଟେଡ (ଏଚ୍୍ଏଏଲ୍)କୁ କାହିଁକି ବାଦ୍ ଦିଆଗଲା ତାହା ସ୍ପଷ୍ଟ କରିବାକୁ ଦାବି କରିଛି। ରାଫେଲ ଚୁକ୍ତି ସଂକ୍ରାନ୍ତ ପ୍ରତିରକ୍ଷା ନୀତି ନେଇ ଜେଟ୍୍ଲି ଅବଗତ ନାହାନ୍ତି ବୋଲି କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି।