ମୋଦିଙ୍କ ପାଇଁ ସଫେଇ ଦେଲେ ଜେଟ୍‌ଲି

ମନମୋହନ, ଅନ୍‌ସାରୀଙ୍କ ଦେଶଭକ୍ତି ବିବାଦରୁ ଊର୍ଦ୍ଧ୍ୱରେ

ନୂଆଦିଲ୍ଲୀ: ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଏକ ବୟାନକୁ ବିରୋଧ କରି ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭରୁ ଲାଗି ଅଚଳାବସ୍ଥା ଆଜି ଦୂର ହୋଇଛି। ଗୁଜରାଟ ନିର୍ବାଚନ ସମୟରେ ପାକିସ୍ତାନ ଅଧିକାରୀଙ୍କ ସହ ମନମୋହନଙ୍କ ବୈଠକ ନେଇ ମୋଦିଙ୍କ ବୟାନ ବାବଦରେ ଆଜି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌୍‌ଲି ରାଜ୍ୟସଭାରେ ଏହି ମାମଲାରେ ସଫେଇ ଦେଇଥିଲେ। ଜେଟ୍‌୍‌ଲିଙ୍କ ମାତ୍ର ୪ ଧାଡ଼ିର ବୟାନ ପରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଥିଲା ଏବଂ ଏହି ପ୍ରସଙ୍ଗକୁ ନେଇ ଉଭୟ ଗୃହରେ ଲାଗି ରହିଥିବା ଗତିରୋଧ ଦୂର ହୋଇଥିଲା। ଆଜି ଗୃହରେ ଜେଟ୍‌୍‌ଲି କହିଥିଲେ- ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଉପରାଷ୍ଟ୍ରପତି ହାମିଦ ଅନ୍‌ସାରୀଙ୍କ ଦେଶଭକ୍ତି ଏବଂ ନିଷ୍ଠାକୁ ନେଇ କୌଣସି ପ୍ରଶ୍ନ ଉଠାଇ ନାହାନ୍ତି, କି ଏଭଳି କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା। ପ୍ରଧାନମନ୍ତ୍ରୀଙ୍କ ବୟାନକୁ ନେଇ ଏଭଳି ଧାରଣା ସୃଷ୍ଟିହେବା ଭୁଲ। ଆମେ ଏହି ନେତାଙ୍କୁ ଦେଶପାଇଁ ସେମାନଙ୍କ ଅବଦାନ ନିମନ୍ତେ ସମ୍ମାନ କରୁଛୁ ବୋଲି ଜେଟ୍‌୍‌ଲି କହିଥିଲେ। ଜେଟ୍‌ଲିଙ୍କ ଏହି ବୟାନ ପରେ ହଙ୍ଗାମା କରୁଥିବା କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ନେତାମାନେ ଶାନ୍ତ ପଡ଼ିଥିଲେ। କଂଗ୍ରେସ ନେତା ଗୁଲାମନବୀ ଆଜାଦ କହିଥିଲେ ଯେ ଆମେ ଗୃହର ନେତାଙ୍କ ବୟାନକୁ ସମ୍ମାନ କରୁଛୁ ଏବଂ ପ୍ରଧାନମନ୍ତ୍ରୀ ପଦର ଗାରିମାକୁ ମଧ୍ୟ ଆମେ ହ୍ରାସ କରିବାକୁ ଚାହୁନାହୁଁ। ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ କଂଗ୍ରେସ ନେତାମାନେ ଦେଇଥିବା ବୟାନକୁ ମଧ୍ୟ ଦଳ କେବେ ବି ସମର୍ଥନ କରିନାହିଁ ବୋଲି ଆଜାଦ କହିଥିଲେ।
ଆଜି ରାଜ୍ୟସଭାରେ ଜେଟ୍‌୍‌ଲି ଏ ବାବଦରେ ବୟାନ ଦେବାବେଳେ ଗୃହରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ନଥିଲେ। ତେବେ ପୂର୍ବରୁ ଏ ବାବଦରେ କଂଗ୍ରେସ ସହମତି ପ୍ରକାଶ କରିଥିଲା ଯେ ଏ ବାବଦରେ ଗୃହରେ ଅନ୍ୟ କୌଣସି ବିଜେପି ନେତାଙ୍କ ବୟାନକୁ ସେମାନେ ଗ୍ରହଣ କରିବେ। ଜେଟ୍‌୍‌ଲିଙ୍କ ବୟାନ ପରେ ସପ୍ତାହେ ହେଲା ଲାଗି ରହିଥିବା ଅଚଳାବସ୍ଥା ଦୂର ହୋଇଥିବାରୁ ଆଶ୍ୱସ୍ତି ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର