ସୋନିଆଙ୍କ ପାଇଁ ଜେଟ୍‌ଲିଙ୍କ ଶେଷ ଉପହାର

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ମୃତ୍ୟୁର ମାତ୍ର କିଛି ଦିନ ପୂର୍ବରୁ ସେ କଂଗ୍ରେସ ଅଧ୍ୟକ୍ଷ‌ା ସୋନିଆ ଗାନ୍ଧୀଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀ ଉତ୍ତରପ୍ରଦେଶର ରାଏବରେଲିକୁ ଏକ ଉପହାର ଦେଇଛନ୍ତି। ଜେଟ୍‌ଲି ତାଙ୍କ ଏମ୍‌ପିଲାଡ୍‌ ପାଣ୍ଠିରୁ ରାଏବରେଲିରେ ୨୦୦ ସୌର ଶକ୍ତି ସମ୍ପନ୍ନ ହାଇ ମାଷ୍ଟ୍‌ ଲାଇଟ୍‌ ଲଗାଇବା ପାଇଁ ରାଏବରେଲି ଜିଲ୍ଲାପାଳଙ୍କୁ ଏକ ପ୍ରସ୍ତାବ ଦେଇଥିଲେ। ଏନେଇ ପ୍ରଥମେ ଜେଟ୍‌ଲିଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିବା ବେଳେ ଜୁଲାଇ ୩୦ ତାରିଖରେ ଜେଟ୍‌ଲି ଏକ ଚିଠି ଲେଖିଥିଲେ। ପରେ ଜେଟ୍‌ଲି ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବାବେଳେ ଏହି ସୁପାରିସକୁ ରାଏବରେଲି ଜିଲ୍ଲାପାଳଙ୍କ ନିକଟରେ ଗତ ୧୭ ତାରିଖ‌ରେ ଦାଖଲ କରାଯାଇଥିଲା। ରାଏବରେଲି ଜିଲ୍ଲାପାଳ ନେହା ଶର୍ମା ମଧ୍ୟ ଏହି ସୁପାରିସ ଗ୍ରହଣ କରିଥିବା କହିଛନ୍ତି।

ଏମ୍‌ପିଲାଡ୍‌ ଅଧୀନରେ ସାଂସଦମାନେ ସେମାନଙ୍କ ନିଜ ନିଜ ସଂସଦୀୟ କ୍ଷେତ୍ରରେ ବାର୍ଷିକ ୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରିବାପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥାନ୍ତି। ସୂଚନାନୁଯାୟୀ ରାଏବରେଲିରେ ଜେଟ୍‌ଲିଙ୍କ ଦ୍ବାରା ସୁପାରିସ କରାଯାଇଥିବା ପ୍ରକଳ୍ପକୁ ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ କରାଯିବ। ଡିଆରଡିଏ (ଜିଲ୍ଲା ଗ୍ରାମୀଣ ବିକାଶ ସଂସ୍ଥା) ଦ୍ବାରା ଏହି କାର୍ଯ୍ୟ ସମ୍ପାଦନ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର