ତେଲ ଅବିବ: ମଧ୍ୟପ୍ରାଚ୍ୟରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି। ହେଜବୁଲ୍ଲା ମୁଖ୍ୟ ନସ୍ରଲ୍ଲାର ନିଧନ ପରେ ଇହୁଦୀ-ମୁସଲମାନ ଯୁଦ୍ଧ ଇସ୍ରାଏଲରୁ ଲେବାନନ, ବେରୁତ ଓ ଇରାନ ଯାଏ ସମ୍ପ୍ରସାରିତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଲେବାନନ୍ ଉପରେ ଇସ୍ରାଏଲ ଆକ୍ରମଣରେ ଅତି କମ୍ରେ ୩୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୦ରୁ ଅଧିକ ଆହତ ହୋଇଛନ୍ତି। ଗୁରୁବାର ରାତିରେ ବେରୁତର ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ କିଛି ଆକ୍ରମଣ ହୋଇଥିଲା। ତେଣେ ତେହେରାନରେ ଇରାନର ସର୍ବୋଚ୍ଚ ଧାର୍ମିକ ନେତା ଆୟାତୋଲ୍ଲା ଖାମେନିଙ୍କ ୫ ବର୍ଷ ପରେ ପ୍ରଥମ ଶୁକ୍ରବାରିଆ ଭାଷଣ ପରେ ଇସ୍ରାଏଲ ଉପରକୁ ହେଜବୁଲ୍ଲା ରକେଟ୍ ମାଡ଼ କରିଛି। ହେଜବୁଲ୍ଲାର ନୂଆ ମୁଖ୍ୟ ହାସେମ୍ ସଫିଦ୍ଦିନ ବେରୁତରେ ଏକ ଭୂତଳ ବଙ୍କରରେ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରୁଥିବା ବେଳେ ଇସ୍ରାଏଲ ବୋମାମାଡ଼ କରିଥିଲା। ତେବେ ଏହାର ପରିବର୍ତ୍ତୀ ସ୍ଥିତି ସଂପର୍କରେ କିଛି ଜଣାପଡ଼ିନାହିଁ। କେତେକ ଗଣମାଧ୍ୟମ ସଫିଦ୍ଦିନ ନିହତ ହୋଇଥିବା ଖବର ପ୍ରଚାର କରିଥିବା ବେଳେ ଇସ୍ରାଏଲ କିମ୍ବା ହେଜବୁଲ୍ଲା ପକ୍ଷରୁ ଏନେଇ କିଛି କୁହାଯାଇନି।
ଲେବାନନ୍ରେ ଭୀଷଣ କ୍ଷୟକ୍ଷତି
ଇସ୍ରାଏଲ ଉପରେ ହେଜବୁଲ୍ଲାର ଶତାଧିକ ରକେଡ୍ ମାଡ଼
ନସ୍ରଲ୍ଲାକୁ ଗୁପ୍ତସ୍ଥାନରେ କବର ଦିଆଗଲା
ନୂଆ ମୁଖ୍ୟ ସଫିଦ୍ଦିନର ପ୍ରମୁଖ ଆଡ଼ା ଧ୍ବସ୍ତ
ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ଭାଷଣ ପରେ ହେଜବୁଲ୍ଲା ଦକ୍ଷିଣ ଲେବାନନରୁ ଇସ୍ରାଏଲ ଉପରେ ଘନଘନ ରକେଟ୍ ମାଡ଼ କରିଥିଲା। ଲେବାନନର ପରିବହନ ମନ୍ତ୍ରୀ ଅଲି ହାମିହଙ୍କ କହିବା ଅନୁସାରେ, ଲେବାନନରୁ ହଜାର ହଜାର ଲୋକ ସିରିଆକୁ ପଳାୟନ କରିବା ପାଇଁ ବ୍ୟବହାର କରୁଥିବା ଏକ ପ୍ରମୁଖ ସୀମା ରାସ୍ତା ଇସ୍ରାଏଲ ଆକ୍ରମଣ ଦ୍ୱାରା ଧ୍ବସ୍ତ ହୋଇଯାଇଛି। ବୋମାମାଡ଼ ଯୋଗୁଁ ୪ ମିଟର ଚଉଡ଼ା ଖାଲ ସୃଷ୍ଟି ହୋଇଥିବାରୁ ରାସ୍ତା ଯାତାୟାତ ଅନୁପଯୋଗୀ ହୋଇପଡ଼ିଛି। ଇସ୍ରାଏଲ ସେନାର ଅଭିଯୋଗ ଅନୁସାରେ ହେଜବୁଲ୍ଲା ଏହି ରାସ୍ତାକୁ ଲେବାନନକୁ ସାମରିକ ଉପକରଣ ପରିବହନ ପାଇଁ ବ୍ୟବହାର କରୁଛି। ଗୁରୁବାର ବେରୁତରେ ଇସ୍ରାଏଲ ହେଜବୁଲ୍ଲାର ଶୀର୍ଷ ନେତା ହାସେମ୍ ସଫିଦ୍ଦିନକୁ ଟାର୍ଗେଟ କରି ବୋମାମାଡ଼ କରିଛି। ସଫିଦ୍ଦିନ ନିହତ ହେଜବୁଲ୍ଲା ନେତା ହାସନ ନସରଲ୍ଲାର ଉତ୍ତରାଧିକାରୀ। ତେବେ ଏହି ଆକ୍ରମଣର ପରିଣତି ନେଇ ଇସ୍ରାଏଲ କିମ୍ବା ହେଜବୁଲ୍ଲା କୌଣସି ମନ୍ତବ୍ୟ ଦେଇନାହାନ୍ତି।
ସେପ୍ଟେମ୍ବର ୨୭ରେ ଇସ୍ରାଏଲର ଏୟାର୍ ଷ୍ଟ୍ରାଇକ୍ରେ ନିହତ ହୋଇଥିବା ହେଜବୁଲ୍ଲା ମୁଖ୍ୟ ନସରଲ୍ଲାର ଏକ ପ୍ରତୀକାତ୍ମକ ଅନ୍ତିମ ସଂସ୍କାର ଆଜି ଅନୁଷ୍ଠିତ ହୋଇଥିଲା। ମୃତଦେହକୁ ଏକ ଗୁପ୍ତ ସ୍ଥାନରେ ଅସ୍ଥାୟୀ ଭାବେ କବର ଦିଆଯାଇଛି।