ଝାଡ଼ଖଣ୍ଡରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଶେଷ: ଭୋଟଗ୍ରହଣ ବେଳେ ହିଂସାକାଣ୍ଡ ଘଟି ଜଣଙ୍କର ମୃତ୍ୟୁ

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟରେ ହୋଇଥିବା ମତଦାନରେ ୨୦ଟି ଆସନରୁ ୧୮ଟି ଆସନରେ ଭୋଟ ଗ୍ରହଣ ଅପରାହ୍ନ ୩ଟାରେ ସମାପ୍ତ ହୋଇଛି | ତେବେ  ମତଦାନ ସମୟରେ ରାଜ୍ୟର ଶିଶାଇ ଅଂଚଳରେ ସୁରକ୍ଷାକର୍ମୀ ଓ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି | ଏଥିରେ ପୁଲିସ ଗୁଳିରେ ଜଣେ ଗ୍ରାମବାସୀଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି। କାଁ ଭାଁ ଅପ୍ରୀତିକର ଘଟଣା ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ମତଦାନ ଶାନ୍ତିପୂର୍ଣ୍ଣ ରହିଛି।

ଝାଡ଼ଖଣ୍ଡର ୧୮ ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀରେ  ଅପରାହ୍ନ ୩ଟା ସୁଦ୍ଧା ମତଦାନ ଶେ‌ଷ ହୋଇଛି | ତେବେ ଜାମସେଦପୁର ପୂର୍ବ ଓ ପଶ୍ଚିମ ଆସନରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଛି | ଏହି ରି‌ପୋର୍ଟ ଲେଖାଯିବା ପର୍ଯ୍ୟନ୍ତ  ୫୯.୨୭ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ସୂଚନା ଥାଉ କି ମୁଖ୍ୟମନ୍ତ୍ରୀ ରଘୁବର ଦାସ ଜାମସେଦପୁର ପୂର୍ବ ଆସନରୁ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କ ବିପକ୍ଷରେ ସ୍ବାଧୀନ ପ୍ରାର୍ଥୀ ସରୟୁ ରାୟ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ସେହିପରି ରାଜ୍ୟ ବିଧାନସଭା ବାଚସ୍ପତି ଦିନେଶ ଅର୍ଣ୍ଣବଙ୍କ ବିପକ୍ଷରେ ଅବତୀର୍ଣ୍ଣ ହୋଇଛନ୍ତି ଜେଏମଏମ ପ୍ରାର୍ଥୀ ଜିଘା ଶୁସରନ । ସେହି ଆସନରେ ଦିନେଶ ଅର୍ଣ୍ଣବ ୨୦୧୪ରେ ବିଜୟୀ ହୋଇଥିଲେ ।

 

ସୂଚନା ମୁତାବକ ଝାଡଖଣ୍ଡ ବିଧାନସଭା ୮୧ ଜଣ ସଦସ୍ୟଙ୍କୁ ନେଇ ଗଠିତ । ୫ଟି ପର୍ଯ୍ୟାୟରେ ଏଠାରେ ମତଦାନ ହେବ । ଡିସେମ୍ବର ୨୦ରେ ଶେଷ ପର୍ଯ୍ୟାୟ ମତଦାନ ହେବ ଏବଂ ଡିସେମ୍ବର ୨୩ରେ ଫଳାଫଳ ଘୋଷଣା କରାଯିବ ।

ସମ୍ବନ୍ଧିତ ଖବର