ଝାନ୍ସିର ମହିଳା ଏକାକୀ ଖୋଳିଲେ କୂଅ, ଦେଶ ବିଦେଶର ଲୋକ କରୁଛନ୍ତି ପ୍ରଶଂସା

ଝାନ୍ସି: ବିହାରର ଦଶରଥ ମାନ୍ଝି ପାହାଡକୁ କାଟି ରାସ୍ତା ତିଆରି କରିଥିଲେ, କାରଣ ତାଙ୍କ ସ୍ତ୍ରୀ ସଡକ ନଥିବାରୁ ଠିକ୍ ସମୟରେ ଚିକିତ୍ସା ସୁବିଧା ନ ପାଇ ପ୍ରାଣ ହରାଇଥିଲେ। ଦଶରଥ ମାନ୍ଝିଙ୍କ ନାମରେ ‘ମାନ୍ଝି – ଦ ମାଉଣ୍ଟେନ ମ୍ୟାନ୍’ ନାମରେ ଏକ ଚଳଚ୍ଚିତ୍ର ମଧ୍ୟ ତିଆରି ହୋଇ ରିଲିଜ୍ ହୋଇଛି।

ଦଶରଥ ମାନ୍ଝିଙ୍କ ପରି ଝାନ୍ସି ଜିଲ୍ଲାର ଇମର୍ତି ଦେବୀଙ୍କ କାହାଣୀ ବି କିଛିଟା ଏକାପରି। ଅସମ୍ଭବ ଲାଗୁଥିବା କାମକୁ ସମ୍ଭବ କରି ସେ ଦେଖେଇଛନ୍ତି। ଇମର୍ତି ଦେବୀ କାହାରି ସାହାଯ୍ୟ ନ ନେଇ ଏକାକୀ ୩୦ ଫୁଟର ଏକ କୂଅ ଖୋଳିଛନ୍ତି। ଇମର୍ତି ଦେବୀଙ୍କ ଏପରି କାର୍ଯ୍ୟକୁ କେବଳ ଭାରତ ନୁହଁ ବିଦେଶରେ ବି ପ୍ରଶଂସା କରାଯାଉଛି।

ଝାନ୍ସିର ବବୀନା ତହସିଲରେ ରହୁଥିବା ଇମର୍ତି ଦେବୀଙ୍କ ଗାଁ ପାଣି ସମସ୍ୟାର ସାମନା କରୁଥିଲା। ଗାଁର ମହିଳାମାନେ ପିଇବା ପାଣି ପାଇଁ ୩ରୁ ୪ କିଲୋମିଟର ପାଦରେ ଚାଲି ଯାଉଥିଲେ।

ଦିନେ ପରମାର୍ଥ ନାମରେ ଏକ ଗ୍ରୁପ୍ ଗାଁକୁ ଆସିଥିଲା। ଏହି ସଂସ୍ଥା ପାଣି ସଂରକ୍ଷିତ କରିବାର କାମ କରିଥାଏ। ଇମର୍ତି ଦେବୀ ଏହି ଗ୍ରୁପର ସଦସ୍ୟମାନଙ୍କୁ ଗ୍ରାମର ପାଣି ସମସ୍ୟା ବିଷୟରେ କହିଥିଲେ। ଗାଁରେ ଏକ କୂଅ ଖୋଳିବାକୁ ପରମାର୍ଥ ଗ୍ରୁପ୍ ପ୍ରସ୍ତାବ ଦେଇଥିଲା। କିନ୍ତୁ ଗାଁର ଲୋକମାନେ ମନା କରି ଦେଇଥିଲେ। ଏହାପରେ ଇମର୍ତି ଦେବୀ ସ୍ଥିର କରିଥିଲେ ସେ ନିଜେ କୂଅ ଖୋଳିବେ। ନିଜ ପ୍ରତିଜ୍ଞାରେ ଅଟଳ ଥିବା ଇମର୍ତି କାହାରିକୁ ଅପେକ୍ଷା କରି ନଥିଲେ। କୂଅ ଖୋଳିବା ଆରମ୍ଭ କଲା ବେଳେ ଗ୍ରାମର ଲୋକମାନେ ତାଙ୍କୁ ଉପହାସ କରୁଥିଲେ। ଗାଁରେ କେହି ବି ତାଙ୍କୁ ସହଯୋଗ କରି ନଥିଲେ। ଗାଁର କିଛି ଲୋକ ତାଙ୍କୁ ଅନେକ ଥର ଧମକାଇ ଥିଲେ। ଏପରିକି ଇମର୍ତି ଦେବୀଙ୍କ ସ୍ଵାମୀ ବି ତାଙ୍କୁ ସାହାଯ୍ୟ କରି ନଥିଲେ ଓ ତାଙ୍କୁ ଛାଡିବାକୁ ଧମକ ଦେଇଥିଲେ। ତଥାପି ଇମର୍ତି ଦେବୀ କାହାରି କଥା ଶୁଣି ନଥିଲେ ଓ ଚାରି ମାସର କଠୋର ପରିଶ୍ରମ ପରେ ୩୦ ଫୁଟ୍ ଗଭୀରର କୂଅ ଖୋଳିଥିଲେ।

ବିଶ୍ଵ ଜଳ ଦିବସ ଅବସରରେ ଇମର୍ତି ଦେବୀଙ୍କ କାର୍ଯ୍ୟର ପ୍ରଶଂସା କରି କେନ୍ଦ୍ର ସରକାର ତାଙ୍କୁ ୫୧ ହଜାର ଟଙ୍କା ଦେଇ ସମ୍ମାନିତ କରିଥିଲେ। ଏହା ବ୍ୟତୀତ ଦେଶ ବିଦେଶରୁ ଅନେକ ସମ୍ମାନ ଇମର୍ତି ଦେବୀଙ୍କୁ ମିଳୁଛି। ଇମର୍ତି ଦେବୀ ପ୍ରମାଣିତ କରି ଦେଇଛନ୍ତି ଯେ ଦୃଢ ସଂକଳ୍ପ ଦ୍ଵାରା ଅସମ୍ଭବକୁ ସମ୍ଭବ କରାଯାଇପାରିବ।

ସମ୍ବନ୍ଧିତ ଖବର