ରାଞ୍ଚି : ଝାଡ଼ଖଣ୍ଡର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ତଦାଶା ମିଶ୍ରଙ୍କ ଏକମାତ୍ର ପୁଅ ଅତ୍ୟେନ୍ଦ୍ର ଅନ୍ବେଷ ମିଶ୍ର (୨୬) ତାଙ୍କ ମାଆଙ୍କ ଦେହରକ୍ଷୀଙ୍କଠାରୁ ସର୍ଭିସ୍ ରିଭଲଭର୍ ନେଇ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ସକାଳେ ଅତ୍ୟେନ୍ଦ୍ର ଏୟାରପୋର୍ଟ ଯିବା ପାଇଁ ଘରକୁ ବାହାରିଥିଲେ। ସେ ବେଙ୍ଗାଲୁରୁରେ ଏକ ଘରୋଇ ମେଡିକାଲ୍ କଲେଜରେ ଏମ୍ବିବିଏସ୍ ଶେଷବର୍ଷରେ ଅଧ୍ୟୟନ କରୁଥିଲେ। ସେ କିଛିଦିନ ପାଇଁ ଛୁଟିରେ ଆସିଥିଲେ ଏବଂ ଶୁକ୍ରବାର ବେଙ୍ଗାଲୁରୁ ଯାତ୍ରା କରିବାର ଥିଲା। ଏୟାରପୋର୍ଟ ରାସ୍ତାରେ ଏସ୍ୟୁଭି ପଛରେ ବସିଥିବା ଅତ୍ୟେନ୍ଦ୍ର ଅଚାନକ ଦେହରକ୍ଷୀଙ୍କ ଠାରୁ ରିଭଲଭର୍ ମାଗିଥିଲେ ଏବଂ ରିଭଲଭର ପାଇବା ମାତ୍ରେ ନିଜ ମୁଣ୍ଡକୁ ଗୁଳି ମାରିଥିଲେ। ଦେହରକ୍ଷୀ ଦିଲୀପ କୁମାର ସିହ୍ନା ଏଡିଜିଙ୍କୁ ଫୋନ୍ କରି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଉଭୟ ଅତ୍ୟେନ୍ଦ୍ରଙ୍କୁ ନେଇ ମେଡିକୋ ହସ୍ପିଟାଲ୍ରେ ପହଞ୍ଚିଥିଲେ ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏସ୍ୟୁଭିର ଡ୍ରାଇଭର ଜିତ୍ରାମ୍ ଗୋପୀ ଏବଂ ଦେହରକ୍ଷୀ ସିହ୍ନାଙ୍କୁ ପୁଲିସ ଅଟକ ରଖି ଜେରା କରୁଛି। ୧୯୯୪ ବ୍ୟାଚ୍ର ଆଇପିଏସ୍ ଅଫିସର ତଦାଶା ମିଶ୍ର ଓଡ଼ିଶାର ମୂଳ ବାସିନ୍ଦା ଏବଂ ପରିବାର ସଦସ୍ୟ ଭୁବନେଶ୍ବରରେ ରହୁଛନ୍ତି। ଓଡ଼ିଶାରେ ଅତ୍ୟେନ୍ଦ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ତେବେ ଏହା ହତ୍ୟା ନା ଆତ୍ମହତ୍ୟା? ଏହାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି। ସେ ଆତ୍ମହତ୍ୟା କରି ନାହାନ୍ତି, ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅେତ୍ୟନ୍ଦ୍ରଙ୍କ ବନ୍ଧୁମାେନ ଅଭିଯୋଗ କରିଛନ୍ତି। ଏହି ଘଟଣା ବେଳେ ତଦାଶା ଭୁବନେଶ୍ବରରେ ଥିଲେ।