ସରିଲା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ, ୨୩ରେ ଫଳାଫଳ

ରାଞ୍ଚି: ଝାଡ଼ଖଣ୍ଡ ବିଧା‌ନସଭା ନିର୍ବାଚନର ପଞ୍ଚମ ତଥା ଶେଷ ପର୍ଯ୍ୟାୟ ମତଦାନ ଆଜି ସଂପୂର୍ଣ୍ଣ ହୋଇଛି। ପଞ୍ଚମ ପର୍ଯ୍ୟାୟରେ ଆଜି ଝାଡ଼ଖଣ୍ଡରେ ୧୬ଟି ବିଧାନସଭା ଆସନରେ ଭୋଟ୍‌ ଗ୍ରହଣ ହୋଇଥିଲା। ଏଥିରେ ୭୧.୮୩ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ମାଓ ପ୍ରବଣ ୫ଟି ଆସନରେ ୨ ଘଣ୍ଟା ଆଗରୁ ଅପରାହ୍ନ ୩ଟାରେ ଭୋଟ୍‌ ଗ୍ରହଣ ଶେଷ ହୋଇଥିଲା। ଆଜି ବୋରିଓ, ବାରହେଟ୍‌, ଲିଟିପଡ଼ା, ମହେଶପୁର, ଜାରମୁଣ୍ଡି, ସାରଥ , ପୋରେୟା‌ହାଟ, ଗୋଡ୍ଡା ଏବଂ ମାହାଗମାରେ ଭୋଟ୍‌ ଗ୍ରହଣ ହୋଇଥିଲା। ଭୋଟ୍‌ ଗ୍ରହଣ ପାଇଁ ନିର୍ବାଚନ କମିସନ୍‌ ୮,୯୮୭ ବାଲଟ୍‌ ୟୁନିଟ୍‌, ୬,୭୩୮ କଣ୍ଟ୍ରୋଲ୍‌ ୟୁନିଟ୍‌ ଏବଂ ୭,୦୦୬ ଟି ଭିଭିପାଟ୍‌ ମେସିନ୍‌ ବ୍ୟବହାର କରିଥିଲେ। ପଞ୍ଚମ ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଜେପି ପ୍ରାର୍ଥୀ ଏବଂ ଝାଡ଼ଖଣ୍ଡ କୃଷି ମନ୍ତ୍ରୀ ରଣଧୀର ସିଂହ ସାରଥ ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ସେହିପରି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଜେଏମ୍‌ଏମ୍‌ ବିଧାୟକ ଷ୍ଟିଫେନ୍‌ ମାରାଣ୍ଡି ମହେଶପୁରରୁ ନିର୍ବାଚନ ଲଢ଼ୁଛନ୍ତି। ରାଜ୍ୟରେ ୮୧ ବିଧାନସଭା ଆସନରୁ ୬୫ଟି ନିର୍ବାଚନମଣ୍ଡଳୀରେ ଗତ ନଭେମ୍ବର ୩୦ରୁ ଚଳିତ ମାସ ୧୬ ମଧ୍ୟରେ ୪ ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା। ଆସନ୍ତା ୨୩ ତାରିଖରେ ଏହି ନିର୍ବାଚନର ଫଳାଫଳ ‌ଆସିବ।

ସମ୍ବନ୍ଧିତ ଖବର