ରାଞ୍ଚି : ଝାଡ଼ଖଣ୍ଡରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ମୋଟ ୮୧ ବିଧାନସଭା ଆସନରୁ ଆଜି ୧୩ଟି ଆସନରେ ଭୋଟ୍‌ ଗ୍ରହଣ ହୋଇଛି। ଛତ୍ରା, ଗୁମ୍‌ଲା, ବିଷ୍ଣୁପୁର, ଲୋହରଦଗା, ମାନିକା, ‌ଲତେହର, ପାନ୍‌କି, ପାନ୍‌କି, ଦଲତୋନଗଂଜ, ବିଶ୍ରାମପୁର, ଛତ୍ରପୁର, ହୁସେଇନାବାଦ୍‌, ଗଡ଼ୱା ଏବଂ ଭବନାଥପୁର ବିଧାନସଭା କ୍ଷେତ୍ରରେ ଆଜି ‌ଭୋଟ୍‌ ଗ୍ରହଣ ହୋଇଛି। କଡ଼ା ସୁରକ୍ଷା ମଧ୍ୟରେ ସକାଳ ୭ଟାରେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୩ଟା‌ରେ ଶେଷ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୬୪.୧୨ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। କିଛି ସ୍ଥାନରେ ସଂଘର୍ଷ ହୋଇଥିଲେ ମଧ୍ୟ ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ଶେଷ ହୋଇଛି ବୋଲି ଏଡିଜି ମୁରାରି ଲାଲ୍‌ ମୀନା କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୫ ମହିଳାଙ୍କ ସମେତ ମୋଟ ୧୮୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଥିବା ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ଝାଡ଼ଖଣ୍ଡ ସ୍ବାସ୍ଥ୍ୟମନ୍ତ୍ରୀ ରାମଚନ୍ଦ୍ର ଚନ୍ଦ୍ରବଂଶୀ ଏବଂ ରାଜ୍ୟ କଂଗ୍ରେସ ମୁଖ୍ୟ ରାମେଶ୍ବର ଓରାମ୍‌ ଅଛନ୍ତି।

Advertisment

ଭୋଟ୍‌ ଆରମ୍ଭ ହେବାର କିଛି ସମୟ ପରେ ଆଜି ମାଓବାଦୀମାନେ ଏକ ପୋଲ୍‌ ଉଡ଼ାଇ ଦେଇଥିଲେ। ଗୁମ୍‌ଲା-ଲୋହରଦଗା ସୀମା ନିକଟସ୍ଥ ଏକ ପୋଲକୁ ମାଓବାଦୀମାନେ ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। କିନ୍ତୁ ଏହାଦ୍ବାରା କେହି ମୃତାହତ ହୋଇନାହାନ୍ତି ବୋଲି ଏଡିଜି ମୀନା କହିଛନ୍ତି। ଅନ୍ୟପକ୍ଷେ ଦଲତୋନଗଂଜ ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ କୋଶିୟାରା ବୁଥ୍‌ରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ବିଶୃଙ୍ଖଳ ଜନତା ଏକ ପୁଲିସ ଗାଡ଼ି ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। କଂଗ୍ରେସ ପ୍ରାର୍ଥୀ କେ ଏନ୍‌ ତ୍ରିପାଠୀ ଏକ ପିସ୍ତଲ ଧରି ନିର୍ବା‌ଚନୀ ବୁଥରେ ପ୍ରବେଶ କରିବା ଏବଂ ପିସ୍ତଲ ଦେଖାଇ ଧମକ ଦେବାରୁ ସେଠାରେ ସଂଘର୍ଷ ହୋଇଥିଲା। ଏଡିଜି ମୀନା କହିଛନ୍ତି, ମାଓ ପ୍ରବଣ ଅଞ୍ଚଳରେ ସମୁଦାୟ ୧୦୯୭ ଭୋଟ୍‌ ଗ୍ରହଣ କେନ୍ଦ୍ରକୁ ଅତି ସମ୍ବେଦନଶୀଳ ବିବଚେନା କରାଯାଇଥିବା ବେଳେ ୪୬୧ ନିର୍ବାଚନୀ ବୁଥ୍‌କୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି। ଉଲ୍ଲେଖଯୋଗ୍ୟ ୮୧ ଆସନ ବିଶି‌ଷ୍ଟ ବିଧାନସଭା ଆସନ ପାଇଁ ପାଞ୍ଚଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି। ଡିସେମ୍ବର ୨୦ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ଥିବାବେଳେ ଡିସେମ୍ବର ୨୩ରେ ଫଳାଫଳ ଆସିବ।