ବିଜେପି ହାତରୁ ଖସିଲା ଝାଡ଼ଖଣ୍ଡ : ଜେଏମ୍‌ଏମ୍‌-କଂଗ୍ରେସ ମେଣ୍ଟର ବିପୁଳ ବିଜୟ, ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ସୋରେନ

ଜେଏମ୍‌ଏମ୍‌ ମେଣ୍ଟ - ୪୭, ବିଜେପି - ୨୫, ଇସ୍ତଫା ଦେଲେ ରଘୁବର

ରାଞ୍ଚି : ଝାଡ଼ଖଣ୍ଡରେ ବିଜେପିକୁ ଲାଗିଛି ବଡ଼ ଧରଣର ଝଟକା। ମହାରାଷ୍ଟ୍ର ପରେ ବିଜେପି ହାତରୁ ଝାଡ଼ଖଣ୍ଡ ମଧ୍ୟ ଖସିଯାଇଛି। ରାଜ୍ୟ ବିଧାନସଭା ପାଇଁ ଅନୁଷ୍ଠିତ ନିର୍ବ‌ାଚନରେ ହେମନ୍ତ ସୋରେନଙ୍କ ନେତୃତ୍ବରେ ଜେଏମ୍‌ଏମ୍‌-କଂଗ୍ରେସ ମେଣ୍ଟ ବିଜୟୀ ହୋଇଛି। ଅନ୍ୟପକ୍ଷରେ ୫ ବର୍ଷ ଧରି କ୍ଷମତାରେ ଥିବା ବିଜେପି ପରାଜୟର ସମ୍ମୁଖୀନ ହାଇଛି। ପରାଜୟ ସ୍ବୀକାର କରି ମୁଖ୍ୟମନ୍ତ୍ରୀ ରଘୁବର ଦାସ ଆଜି ଇସ୍ତଫା ପ୍ରଦାନ କରିଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚା (ଜେଏମ୍‌ଏମ୍‌) ନେତା ହେମନ୍ତ ସୋରେନ ଦ୍ବିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ହୋଇଯାଇଛି।

୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଜେଏମଏମ-କଂଗ୍ରେସ-ଆରଜେଡି ମେଣ୍ଟକୁ ୪୭ଟି ଆସନ ମିଳିଥିବା ବେଳେ ଶାସକ ବିଜେପିକୁ ମିଳିଛି ୨୫ଟି ଆସନ। ଅନ୍ୟମାନେ ୯ଟି ଆସନରେ ବିଜୟୀ ହୋଇଛନ୍ତି। ଜେଏମଏମ୍ ୩୦ଟି ଆସନ ହାସଲ କରିଥିବା ବେଳେ କଂଗ୍ରେସ ୧୬ ଏବଂ ଗୋଟିଏ ଆସନରେ ଆରଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ ବିଜେପି ୨୫ଟି ଆସନରେ ଜିତି ଦ୍ବିତୀୟ ବୃହତ୍ ଦଳରେ ପରିଣତ ହୋଇଛି।

ନିର୍ବାଚନ ପୂର୍ବରୁ ଜେଏମଏମ-କଂଗ୍ରେସ ଏବଂ ଆରଜେଡି ମଧ୍ୟରେ ମେଣ୍ଟ ଗଠନ ହୋଇଥିବାରୁ ଏଠାରେ ମେଣ୍ଟ ସରକାର ସ୍ଥାପନ ହେବା ବାଟ ଫିଟି ଯାଇଛି। ଜେଏମ୍‌ଏମ୍‌ ନେତା
ହେମନ୍ତ ସୋରେନ୍ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଉଭୟ କଂଗ୍ରେସ ଏବଂ ଆରଜେଡି ପକ୍ଷରୁ ଏହା ‌ଘୋଷଣା କରାଯାଇଛି।

୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡରେ ସରକାର ଗଠନ ପାଇଁ ୪୧ଟି ଆସନରେ ଜିତିବାର ଆବଶ୍ୟକତା ଥିବାବେଳେ ଏହି ମେଣ୍ଟକୁ ୪୭ଟି ଆସନ ମିଳିଛି। ଅନ୍ୟ ଦଳଗୁଡ଼ିକ ମଧ୍ୟରେ ଜେଭିଏମ(ପି)କୁ ୩ଟି, ଏଜେଏସୟୁପିକୁ ଦୁଇଟି ଆସନ ମିଳିଥିବା ବେଳେ ଅନ୍ୟମାନେ ୪ଟି ଆସନ ପାଇଛନ୍ତି।

ନିର୍ବାଚନରେ ପରାଜିତି ହେବା ପରେ ମୁଖ୍ୟମନ୍ତ୍ରୀ ରଘୁବର ଦାସ ନିଜର ଇସ୍ତଫାପତ୍ର ରାଜ୍ୟପାଳ ଦୌପଦୀ ମୁର୍ମୁଙ୍କୁ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଜାମସେଦପୁର ପୂର୍ବ ଆସନରୁ ଦଳର ବିଦ୍ରୋହୀ ପ୍ରାର୍ଥୀ ସର୍ଯ୍ୟୁ ରାୟଙ୍କ ଠାରୁ ହାରି ଯାଇଛନ୍ତି।

ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଜେଏମଏମର କାର୍ଯ୍ୟନିର୍ବାହୀ ସଭାପତି ହେମନ୍ତ ସୋରେନ୍ କହିଛନ୍ତି ଯେ ଝାଡ଼ଖଣ୍ଡରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଲୋକଙ୍କ ଆଶାକୁ ପୂରଣ କରାଯିବ ବୋଲି ସେ ମତ ଦେଇଛନ୍ତି। ଜେଏମଏମ-କଂଗ୍ରେସ-ଆରଜେଡି ମେଣ୍ଟକୁ ସ୍ପଷ୍ଟ ମତ ମିଳିଥିବାରୁ ସେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସହଯୋଗୀ ଦଳମାନଙ୍କ ସହିତ ଆଲୋଚନା ପରେ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ସେ କହିଛନ୍ତି।

୨୦୧୪ରେ ଅନୁଷ୍ଠିତ ନିର୍ବାଚନରେ ବିଜେପି ୩୭ଟି ଆସନରେ ଜିତିଥିଲା। ଚଳିତ ନିର୍ବାଚନରେ ଏହା ୨୫ ଆସନରେ ସୀମିତ ରହିଯାଇଛି। ଅର୍ଥାତ୍ ଗତଥର ତୁଳନାରେ ବିଜେପି ୧୨ଟି ଆସନ ହରାଇଛି। ବର୍ତ୍ତମାନ ସରକାରରେ ବିଜେପିର ସହଯୋଗୀ ଦଳ ଥିବା ଅଲ୍ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ ୟୁନିୟନ(ଏଜେଏସୟୁ) ୫ଟି ଆସନରେ ଜିତିଛି। ତେବେ ଚଳିତ ନିର୍ବାଚନରେ ବିଜେପି ଏବଂ ଏଜେଏସୟୁ ପୃଥକ ଭାବେ ନିର୍ବାଚନ ଲଢ଼ିଥିଲେ। ଆସନ ଭାଗବଣ୍ଟା ନେଇ ବୁଝାମଣା ହୋଇ ନପାରିବାରୁ ଦୁଇ ଦଳ ଅଲଗା ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ବାବୁଲାଲ ମାରାଣ୍ଡିଙ୍କ ଜେଭିଏମ(ପି) ଗତ ନିର୍ବାଚନରେ ୮ଟି ଆସନରେ ଜିତିଥିବା ବେଳେ ଚଳିତ ନିର୍ବାଚନରେ ଏହି ଦଳର ବିଜୟ ୩ଟି ଆସନରେ ସୀମିତ ରହିଛି।

ଗତ ନିର୍ବାଚନରେ ଜେଏମଏମ ୧୯ଟି ଆସନରେ ଜିତିଥିବା ବେଳେ ଏଥର ଦଳ ୧୧ଟି ଅଧିକ ଆସନ ପାଇଛି। ସେହିଭଳି ଗତ ନିର୍ବାଚନରେ କଂଗ୍ରେସ ୬ଟି ଆସନରେ ଜିତିଥିବା ବେଳେ ଚଳିତ ନିର୍ବାଚନରେ ଦଳ ଅଧିକ ୧୦ଟି ଆସନ ପାଇ ମୋଟ ୧୬ଟି ଆସନରେ ଜିତିଛି।

ସମ୍ବନ୍ଧିତ ଖବର