ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ । ଏଠାରେ ୮୧ଟି ବିଧାନସଭା ଆସନ ପାଇଁ ୫ଟି ପର୍ଯ୍ୟାୟରେ  ମତଦାନ ହୋଇଥିଲା । ଆଜି ସକାଳ ୮ଟାରୁ କଡା ସୁରକ୍ଷା ବଳୟରେ ଗଣତି ଆରମ୍ଭ ହେବ ।  ସୂଚନା ଅନୁସାରେ, ୨୪ଟି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ୮୧ ବିଧାନସଭା ଆସନ ପାଇଁ ଗଣତି ହେବ । ଛତରା ବିଧାନସଭା ଆସନ ପାଇଁ ସର୍ବାଧିକ ୨୮ଥର ଗଣତି ହେବ ବୋଲି ଜଣାପଡିଛି ।

Advertisment

ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହେବାପରେ  ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ବାହୁଡ଼ା ମତ (ଏକଜିଟ୍‌ ପୋଲ) ଫଳାଫଳ ଅନୁସାରେ ଝାଡ଼ଖଣ୍ଡ ବିଧାନସଭାରେ କଂଗ୍ରେସ- ଜେଏମ୍‌ଏମ୍‌- ଆରଜେଡି ଏଥର ସଂଖ୍ୟା ଗରିଷ୍ଠତା ହାସଲ କରି ରାଜ୍ୟରେ ନୂଆ ସରକାର ଗଢ଼ିବେ। ମାତ୍ର ବିଜେପି ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିବ ବୋଲି ଦାବି କରୁଛି । ଭୋଟ ଗଣତି ବେଳେ ପୂର୍ବ ଜାମସେଦପୁର ବିଧାନସଭା ଆସନ ଉପରେ  ସମସ୍ତଙ୍କ ନଜର ରହିବ, କାରଣ ୧୯୯୫ ମସିହାରୁ ଏହି ଆସନରୁ ମୁଖ୍ୟମନ୍ତ୍ରୀ ରଘୁବର ଦାସ ବିଜୟୀ ହୋଇ ଆସୁଛନ୍ତି ।

ରାଜ୍ୟରେ ୮୧ ବିଧାନସଭା ଆସନରୁ ୬୫ଟି ନିର୍ବାଚନମଣ୍ଡଳୀରେ ଗତ ନଭେମ୍ବର ୩୦ରୁ ଚଳିତ ମାସ ୧୬ ମଧ୍ୟରେ ୪ ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା।  ପଞ୍ଚମ ତଥା ଶେଷ ପର୍ଯ୍ୟାୟ ମତଦାନ ୨୦ ତାରିଖରେ ସଂପନ୍ନ ହୋଇଥିଲା।