ନୂଆଦିଲ୍ଲୀ: ଅଗଷ୍ଟ ୨୩ରେ ଝାଡଖଣ୍ଡରେ ଜଣେ ୧୯ବର୍ଷୀୟା ଯୁବତୀଙ୍କୁ ଜିଅନ୍ତା ଜାଳି ହତ୍ୟା କରାଯାଇଥିଲା। ଅଗଷ୍ଟ ୨୮ରେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ହେବା ପରେ ଆଜି ପରିବାରକୁ ୧୦ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଏହି ଘୋଷଣା କରି ହେମନ୍ତ ସୋରେନ କହିଛନ୍ତି ଯେ ଡୁମକାରେ ହୋଇଥିବା ଘଟଣାର ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଆମ ସରକାର କାର୍ଯ୍ୟ କରୁଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ମୁଖ୍ୟମନ୍ତ୍ରୀ ସୋରେନ୍ଙ୍କୁ ବିଧାନସଭାର ବିଧାୟକ ପଦରୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଭାରତର ନିର୍ବାଚନ କମିସନ୍ ରାଜ୍ୟପାଳଙ୍କ ନିକଟକୁ ସୁପାରିସ ପତ୍ର ପଠାଇବା ପରେ ଝାଡ଼ଖଣ୍ଡରେ ରାଜନୈତିକ ଝଡ଼ ଆରମ୍ଭ ହୋଇଯାଇଥିଲା। ଏମଧ୍ୟରେ ଡୁମକାରେ ଘଟିଥିବା ଏହି ଘଟଣାକୁ ନେଇ ଠିକ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ବିରୋଧୀଙ୍କ ଦ୍ବାରା ସମାଲୋଚିତ ହୋଇଛନ୍ତି ସୋରେନ।
ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୨୩ରେ ଝାଡଖଣ୍ଡର ଡୁମକା ସହରରେ ଏହି ଘଟଣା ଘଟିଥିଲା। ମୃତକ ଅଙ୍କିତା ଶୋଇଥିବା ସମୟରେ ଅଭିଯୁକ୍ତ ଶାହାରୁଖ ତାଙ୍କ ଘରର ଝରକା ପଟେ ପେଟ୍ରୋଲ ପକାଇ ତାଙ୍କ ଦେହରେ ନିଆଁ ଲଗାଇଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅଗେ୍ଟ ୨୮ରେ ତାଙ୍କର ମୃତ୍ୟୁ ଘଟିଥିଲା।
ତେବେ ଚିକିତ୍ସାଧୀନ ଥିବା ବେଳେ ସେ ପୁଲିସକୁ ନିଜୟ ବୟାନ ଦେଇଥିଲେ। ସେ କହିଥିଲେ ଯେ, ଶାହାରୁଖ ମୋତେ ଫୋନ କରି ତା’ ସହ ସାଙ୍ଗ ହେବାକୁ କହୁଥିଲା। ମୁଁ ମନା କରିବାରୁ ଅଗଷ୍ଟ ୨୨ରେ ମୋତେ କଲ୍ କରି ସାଙ୍ଗ ନହେଲେ ମାରିଦେବି ବୋଲି ଧମକ ଦେଇଥିଲା। ମୁଁ ବାପାଙ୍କୁ ଏବିଷୟରେ ଜଣାଇବାକୁ ସେ ଅଗଷ୍ଟ ୨୩ରେ ତାଙ୍କ ପରିବାର ସହ ଯାଇ କଥା ହେବେ ବୋଲି କହିଥିଲେ। ହେଲେ ଅଗଷ୍ଟ ୨୩ତାରିଖ ସକାଳେ ମୁଁ ଶୋଇଥିବା ବେଳେ ସେ ଝରକା ପଟେ ପେଟ୍ରୋଲ ପକାଇ ମୋ ଦେହରେ ନିଆଁ ଲଗାଇ ଦେଇଥିଲା।