ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଭୋଟ ଗଣତି: ପଛରେ ବିଜେପି, ଆଗରେ ମେଣ୍ଟ

ରାଞ୍ଚି:  ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନରେ ଭୋଟ ଗଣନାର ତାଜା ସୂଚନା ଆସିଛି। ସୂଚନା ଅନୁଯାୟୀ,  ବିଜେପି ୩୧ଟି ଆସନରେ ଆଗରେ ରହିଛି। ଅପରପକ୍ଷରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ), ଆରଜେଡି ଓ କଂଗ୍ରେସ ମେଣ୍ଟ ୪୦ଟି ଆସନରେ ଆଗୁଆ ଥିବା ଜଣାପଡ଼ିଛି। ଠିକ୍ ସେହିପରି ଏଜେଏସୟୁ ୩ଟି ଆସନରେ, ଜେଭିଏମ ୩ଟି ଆସନରେ ଏବଂ ଅନ୍ୟାନ୍ୟ ୪ଟି ଆସନରେ ଆଗୁଆ ରହିଥିବାର ସୂଚନା ମିଳିଛି।

ଆଜି ଅପରାହ୍ନ ୧ଟା ବେଳକୁ ସଂପୂର୍ଣ୍ଣ ଫଳାଫଳର ଟ୍ରେଣ୍ଡ୍  ସାମ୍ନାକୁ ଆସିଯିବ ବୋଲି କୁହାଯାଉଛି। ଯଦି ନିର୍ବାଚନ ଫଳାଫଳର ଟ୍ରେଣ୍ଡ ଏଭଳି ରହେ ତେବେ ଝାଡ଼ଖଣ୍ଡରେ ଜେଏମଏମ, ଆରଜେଡି ଓ କଂଗ୍ରେସ ମେଣ୍ଟ ସରକାର ଗଢ଼ିବ ଏକପ୍ରକାର ନିଶ୍ଚିତ। ବର୍ତ୍ତମାନର  ଟ୍ରେଣ୍ଡକୁ ଦେଖିଲେ ଜଣାପଡ଼ୁଛି ବିଜେପି ଶାସିତ ଝାଡ଼ଖଣ୍ଡ ମଧ୍ୟ ବିଜେପି ହାତରୁ ଚାଲିଯାଇପାରେ । ଏଭଳି ଘଟିଲେ ମହାରାଷ୍ଟ୍ର, ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ ତାଲିକାରେ ଝାଡ଼ଖଣ୍ଡ ମଧ୍ୟ ସାମିଲ ହୋଇଯିବ ।

ସ୍ମରଣଯୋଗ୍ୟ,  ୮୧ ଆସନ ବିଶିଷ୍ଟ ବିଧାନସଭା ପାଇଁ ଗତ ନଭେମ୍ବର ୩୦ରୁ ଡିସେମ୍ବର ୨୦ ମଧ୍ୟରେ ୬ଟି ପର୍ୟ୍ୟାୟରେ ମତଦାନ ହୋଇଛି । ମ୍ୟାଜିକ୍ ନମ୍ବର ୪୨ ହୋଇଥିବା ବେଳେ ମେଣ୍ଟ ସରକାର ଗଠନକୁ ନେଇ ଏବେଠାରୁ ଆଲୋଚନା ଆରମ୍ଭ ହୋଇଗଲାଣି ।

ସୂଚନାଯୋଗ୍ୟ ଏକଜିଟ ପୋଲରେ ଝାଡ଼ଖଣ୍ଡରେ ବିଜେପି ହାରି ପାରେ ବୋଲି ଆକଳନ କରାଯାଇଛି । ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେକ୍ଷଣରୁ ଜଣାଯାଇଛି ଯେ ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ଏଥର କଂଗ୍ରେସ- ଜେଏମ୍ଏମ୍- ଆରଜେଡି  ସଂଖ୍ୟା ଗରିଷ୍ଠତା ହାସଲ କରି ରାଜ୍ୟରେ ନୂଆ ସରକାର ଗଢ଼ିବେ।

ସମ୍ବନ୍ଧିତ ଖବର