ଝାଡ଼ଖଣ୍ଡ ସଙ୍କଟ: ସସ୍‌ପେନ୍ସ ଜାରି, ୫ରେ ସ୍ୱତନ୍ତ୍ର ଅଧିବେଶନ

ରାଜ୍ୟପାଳଙ୍କୁ ଭେଟିଲେ ଜେଏମ୍‌ଏମ୍‌-କଂଗ୍ରେସ ପ୍ରତିନିଧି ଦଳ, ଲିକ୍‌ ରିପୋର୍ଟ ନେଇ ସ୍ଥିତି ସ୍ପଷ୍ଟ କରିବାକୁ କହିଲେ

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ ପ୍ରସଙ୍ଗ ନେଇ ରାଜନୈତିକ ସଙ୍କଟ ଜାରି ରହିଛି। ଗୁରୁବାର ଦିନ ଶାସକ ୟୁପିଏ ମେଣ୍ଟର ଏକ ପ୍ରତିନିଧି ଦଳ ରାଜ୍ୟପାଳ ରମେଶ ବୈସଙ୍କୁ ଭେଟିଛନ୍ତି। ଜେଏମ୍‌ଏମ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା), କଂଗ୍ରେସ ଏବଂ ଆର୍‌ଜେଡି (ରାଷ୍ଟ୍ରୀୟ ଜନତା ଦଳ)ର ୧୦ ଜଣିଆ ସଦସ୍ୟ ବିଶିଷ୍ଟ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ରାଜଭବନରୁ ଏହି ପ୍ରସଙ୍ଗରେ ଲିକ୍‌ ରିପୋର୍ଟ‌୍ ସଂକ୍ରାନ୍ତରେ ସ୍ଥିତି ସ୍ପଷ୍ଟ କରିବାପାଇଁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଗାମୀ ୫ ତାରିଖରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଇଛନ୍ତି।

ନିର୍ବାଚନ କମିସନ (ଇସି)ସୋରେନଙ୍କୁ ଅଯୋଗ୍ୟ ଘୋଷଣା କରିବାପାଇଁ ରାଜଭବନକୁ ଏକ ନୋଟିସ୍‌ ପଠାଇଥିଲେ। ଏହି ନୋଟିସ୍‌କୁ ନେଇ ରାଜ୍ୟରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି। ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦ ହରାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ରାଜ୍ୟପାଳ ଏଯାବତ କୌଣସି ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ କରିନାହାନ୍ତି। ଇସି ବାସ୍ତବରେ କ’ଣ କହିଛନ୍ତି ଏବଂ ଇସିଙ୍କ ନୋଟିସ୍‌ ବାବଦରେ ସ୍ପଷ୍ଟ କରିବାପାଇଁ ସେମାନେ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି। ତେବେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ବନ୍ଧୁ ତିର୍କୀ ପରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ରାଜଭବନରୁ ରିପୋର୍ଟ ଲିକ୍‌ ହୋଇଥିବା ଖବରକୁ ରାଜ୍ୟପାଳ ପ୍ରତ୍ୟାଖ୍ୟାନ କରିଛନ୍ତି। ଉକ୍ତ ବିଷୟରେ ରାଜ୍ୟପାଳ ୨ ଦିନ ମଧ୍ୟରେ ସ୍ଥିତି ସ୍ପଷ୍ଟ କରିବେ ବୋଲି କହିଛନ୍ତି। ‌ଘୋଡ଼ା ବେପାର ଭୟ‌ରେ ଝାଡ଼ଖଣ୍ଡ ଶାସକ ମେଣ୍ଟର ବିଧାୟକମାନଙ୍କୁ ଏବେ ରାୟପୁରରେ ଏକ ରିସୋର୍ଟରେ ରଖାଯାଇଛି। ତେବେ ସରକାର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଇଥିବାରୁ ବିଧାୟକମାନେ ଦୁଇଦିନ ମଧ୍ୟରେ ଫେରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର