ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ହାଇ ଆଲର୍ଟରେ ଝାଡଖଣ୍ଡ

ରାଞ୍ଚି: ମ୍ୟୁକରମାଇକୋସିସ୍ କିମ୍ବା ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ହାଇ ଆଲର୍ଟରେ ଝାଡଖଣ୍ଡ | ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ରାଜ୍ୟ ସରକାର ଚିକିତ୍ସା ପାଇଁ ଦରକାର ଥିବା ସମସ୍ତ ଔଷଧ ସହ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ପ୍ରଭାବିତ ହୋଇଥିବା ଲୋକଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇଦେଇଛନ୍ତି |

୨୪ଟି ଜିଲ୍ଲା ମଧ୍ୟରୁ ୧୮ଟିରେ ଆଜି ସୁଦ୍ଧା ୭୯ଟି ନିଶ୍ଚିତ ଏବଂ ୫୩ଟି ସନ୍ଦିଗ୍ଧ ବ୍ଲାକ୍ ଫଙ୍ଗସ୍ ରୋଗୀ ରହିଛନ୍ତି । ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୬ଜଣ ଲୋକ ବ୍ଲାକ୍ ଫଙ୍ଗସ୍ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିବା ବେଳେ ୫୦ଜଣ ସୁସ୍ଥ ହୋଇଛନ୍ତି | ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟ ସରକାର ମ୍ୟୁକୋରମାଇକୋସିସ୍ ରୋଗକୁ ମହାମାରୀ ବୋଲି ଘୋଷଣା କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ରାଞ୍ଚିରେ ସର୍ବାଧିକ ୪୬ଜଣ ମ୍ୟୁକୋରମାଇକୋସିସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ୨୯ ଜଣ ନିଶ୍ଚିତ ଏବଂ ୧୭ ଜଣ ସନ୍ଦିଗ୍ଧ ରୋଗୀ ଅଛନ୍ତି | ଏହା ସହ ୮ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ସେହିଭଳି ପୂର୍ବ ସିଂହଭୂମରେ ୨୧ଜଣ ମ୍ୟୁକୋରମାଇକୋସିସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ହାଜରିବାଗ (୧୦), ଗରହୱା (୮), ରାମଗଡ (୭), ଗିରିଡିହ ଏବଂ ପାଲାମୁ (୬ଜଣ ଲେଖାଏଁ) ମ୍ୟୁକୋରମାଇକୋସିସ୍ ରୋଗୀ ରହିଛନ୍ତି|

ସମ୍ବନ୍ଧିତ ଖବର