ଯୋଗୀଙ୍କ ରାସ୍ତାରେ ସୋରେନ ସରକାର: ୩୩ ଜଣ ପଥରଫିଙ୍ଗାଳିଙ୍କ ଫଟୋ ଜାରି କଲା ରାଜ୍ୟ ପୁଲିସ

ରାଞ୍ଚି: ଉତ୍ତରପ୍ରଦେଶ ପରି ବର୍ତ୍ତମାନ ଝାଡଖଣ୍ଡ ପୁଲିସ ମଧ୍ୟ ରାଞ୍ଚିରେ ହିଂସା ଅଭିଯୋଗରେ ୩୩ ଜଣଙ୍କ ଫଟୋ ସହିତ ପୋଷ୍ଟର ଜାରି କରିଛି। ରାଜ୍ୟ ପୁଲିସ ଏହି ପୋଷ୍ଟର ଜାରି କରି ଅଭିଯୁକ୍ତଙ୍କ ସମ୍ପର୍କରେ ଜନସାଧାରଣଙ୍କଠାରୁ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରୁଛି। ରାଞ୍ଚିରେ ହୋଇଥିବା ହିଂସାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି। ବାସ୍ତବରେ, ମହମ୍ମଦଙ୍କ ବାବଦରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପି ମୁଖପାତ୍ର ନୂପୁର ଶର୍ମା ଏବଂ ନବୀନ କୁମାର ଜିନ୍ଦଲଙ୍କୁ ନେଇ ଶୁକ୍ରବାର ଦିନ ରାଞ୍ଚିରେ ବିରୋଧ ପ୍ରଦର୍ଶନ ହିଂସାତ୍ମକ ରୂପ ନେଇଥିଲା।

ହିଂସା ପରେ ପ୍ରଶାସନକୁ ସହରର କେତେକ ସ୍ଥାନରେ ଧାରା ୧୪୪ ଲାଗୁ କରିବାକୁ ପଡିଥିଲା | ରାଞ୍ଚିରେ ହିଂସାତ୍ମକ ବିରୋଧ ଏବଂ ହଜାର ହଜାର ଲୋକଙ୍କ ବିରୋଧରେ ୨୫ଟି ଏଫ୍ଆଇଆର୍ ପଞ୍ଜୀକୃତ ହେବା ପରେ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା କଡାକଡି କରାଯାଇଛି। ଆଉ ରାଞ୍ଚିରେ ଘଟିଥିବା ହିଂସାକୁ ନେଇ ଝାଡଖଣ୍ଡର ରାଜ୍ୟପାଳ ରମେଶ ବାଇସ୍ ପୁଲିସ ମହାନିର୍ଦ୍ଦେଶକ ନୀରଜ ସିହ୍ନା ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ସୋମବାର ରାଜଭବନକୁ ଡକାଇଥିଲେ ।

ଦଙ୍ଗାକାରୀଙ୍କୁ ଘଉଡାଇବା ପାଇଁ ପାଣି ତୋପ, ରବର ବୁଲେଟ୍ କିମ୍ବା ଲୁହବୁହା ଗ୍ୟାସ୍ କାହିଁକି ବ୍ୟବହାର କରାଗଲା ନାହିଁ ବୋଲି ପ୍ରଶ୍ନ କରିଥିଲେ | ଆଉ ଏବେ ଏହା ପରେ ପୁଲିସ ପକ୍ଷରୁ ୩୩ ଜଣ ପଥରଫିଙ୍ଗାଳି ଫଟୋ ଜାରି କରାଯାଇଛି | ସେମାନଙ୍କ ବାବଦରେ ସୂଚନା ଦେବାକୁ ଜନସାଧାରଣଙ୍କୁ ଅପିଲ କରାଯାଇଛି |

ସମ୍ବନ୍ଧିତ ଖବର