ଇଡି ଅଧିକାରୀଙ୍କୁ ସମନ କଲା ଝାଡ଼ଖଣ୍ଡ ପୁଲିସ୍

ରାଞ୍ଚି: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପକ୍ଷରୁ ଇଡି ଅଧିକାରୀଙ୍କ ବିରୋଧରେ ଦାୟର କରିଥିବା ଏସସି/ଏସଟି ମାମଲାରେ ଝାଡ଼ଖଣ୍ଡ ପୁଲିସ ସମ୍ପୃକ୍ତ ଅଧିକାରୀମାନଙ୍କୁ ସମନ କରିଛି। ଇଡି ଅଧିକାରୀମାନଙ୍କୁ ମାର୍ଚ୍ଚ ୨୧ ତାରିଖ ପୂର୍ବାହ୍ନ ୧୧ଟାରେ ଥାନାରେ ଉପସ୍ଥିତ ରହିବାକୁ କୁହାଯାଇଛି। ଇଡି ଅଧିକାରୀମାନେ ସମଗ୍ର ସମ୍ପ୍ରଦାୟକୁ ନିର୍ଯାତନା ଓ ଅପମାନିତ କରୁଛନ୍ତି ବୋଲି ସୋରେନ ଅଭିଯୋଗ କରିଥିଲେ।

ଇଡିର ଅତିରିକ୍ତ ନିର୍ଦ୍ଦେଶକ କପିଲ ରାଜ, ସହକାରୀ ନିର୍ଦ୍ଦେଶକ ଦେବବ୍ରତ ଝା, ଅନୁପମ କୁମାର ଏବଂ ଅମନ ପଟେଲଙ୍କୁ ସମନ କରାଯାଇଛି। ଇଡି ଅଧିକାରୀ କପିଲ ରାଜ ଉଭୟ ଦିଲ୍ଲୀ ଅବକାରୀ ଦୁର୍ନୀତି ଏବଂ ହେମନ୍ତ ସୋରେନ ଦୁର୍ନୀତି ମାମଲାର ତଦନ୍ତ କରୁଛନ୍ତି।

ଇଡି ଅଧିକାରୀଙ୍କ ବିରୋଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଝାଡ଼ଖଣ୍ଡ ହାଇକୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେବାର ସପ୍ତାହକ ପରେ ଏହି ସମନ ଆସିଛି। ବରିଷ୍ଠ ଆରକ୍ଷୀ ଅଧୀକ୍ଷକ (ରାଞ୍ଚି) ଚନ୍ଦନ କୁମାର ସିହ୍ନା ସମନ୍ କୁ ନିଶ୍ଚିତ କରିଥିଲେ ମଧ୍ୟ ଅଧିକ ବିବରଣୀ ଦେବାକୁ ମନା କରିଦେଇଛନ୍ତି। ଜମି ସମ୍ବନ୍ଧୀୟ ଅନିୟମିତତା ଅଭିଯୋଗରେ ଫେଡେରାଲ ଏଜେନ୍ସି ତାଙ୍କୁ ଗିରଫ କରିବା ଦିନ ଜାନୁଆରି ୩୧ତାରିଖରେ ସୋରେନ୍ ଏହି ମାମଲା ରୁଜୁ କରିଥିଲେ।

ସମ୍ବନ୍ଧିତ ଖବର