ଝାଡ଼ଖଣ୍ଡ ରାଜନୈତିକ ସଙ୍କଟ: ରାୟପୁର ଗଲେ ୟୁପିଏ ବିଧାୟକ

ନୂଆଦିଲ୍ଲୀ : ଝାଡ଼ଖଣ୍ଡରେ ରାଜନୈତିକ ସଙ୍କଟ ଆଶଙ୍କା କରି ଶାସକ ୟୁପିଏ ମେଣ୍ଟ ଏହାର ୪୦ ବିଧାୟକଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଛତିଶଗଡ଼ ପଠାଇଛି। ବିଧାୟକମାନେ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନରୁ ୨ଟି ବସ୍‌ରେ ରାଞ୍ଚି ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ଏକ ସ୍ବତନ୍ତ୍ର ବିମାନରେ ରାୟପୁର ଯାଇଛନ୍ତି। ସେଠାରେ ସେମାନଙ୍କୁ ମେ ଫେୟାର ଲେକ୍‌ ରିସୋର୍ଟରେ ରଖାଯାଇଛି। ତେବେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବେ ରାଞ୍ଚିରେ ଅଛନ୍ତି।

ଜେଏମଏମ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) କହିଛି ଯେ ବିଜେପି ଝାଡ଼ଖଣ୍ଡରେ ସରକାର ଭାଙ୍ଗିବା ପାଇଁ ଜେଏମଏମ ଏବଂ କଂଗ୍ରେସର ବିଧାୟକଙ୍କୁ କିଣିବାକୁ ଉଦ୍ୟମ କରିପାରେ। ତେଣୁ ନିଜର ବିଧାୟକଙ୍କୁ ଅନ୍ୟତ୍ର ନେଇ ରଖିବାକୁ ଯୋଜନା ହୋଇଛି। ଝାଡ଼ଖଣ୍ଡରେ ସଙ୍କଟ ଘନଉଥିବାରୁ ୟୁପିଏ ବିଧାୟକଙ୍କୁ ଛତିଶଗଡ଼ କିମ୍ବା ପଶ୍ଚିମବଙ୍ଗ ପଠାଇବାପାଇଁ ଯୋଜନା କରିଥିବା ପୂର୍ବରୁ ଯୋଜନା ହୋଇଥିଲା। କଂଗ୍ରେସ ଶାସିତ ଛତିଶଗଡ଼ରେ ବିଧାୟକମାନେ ଅଧିକ ସୁରକ୍ଷିତ ରହିପାରିବେ ବୋଲି ଚିନ୍ତା କରି ସେମାନଙ୍କୁ ରାୟପୁର ପଠାଯାଇଛି।

ସୂଚନାଯୋଗ୍ୟ ଯେ ନିର୍ବାଚନ କମିସନ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ବିଧାୟକ ପଦରୁ ଅଯୋଗ୍ୟ ଘୋଷଣା ପାଇଁ ସୁପାରିସ କରିଥିବା ଜଣାପଡ଼ିଛି। ଗତ୨୫ ତାରିଖରୁ ରାଜ୍ୟପାଳଙ୍କୁ କମିସନ ତାଙ୍କ ନିଷ୍ପତ୍ତି ପଠାଇ ସାରିଛନ୍ତି। ତେବେ ଏ ନେଇ ରାଜ୍ୟପାଳଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇନାହିଁ।

ସମ୍ବନ୍ଧିତ ଖବର