ରାଞ୍ଚି: ନିର୍ଦ୍ଧାରିତ ସମୟର ଦୁଇ ମାସ ପୂର୍ବରୁ ଅର୍ଥାତ୍ ଅକ୍ଟୋବରରେ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ଏହି ସମୟରେ ହରିୟାଣା ଓ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ଦୁଇ ରାଜ୍ୟରେ ନିର୍ବାଚନ ପୂର୍ବରୁ ଭୋଟର ତାଲିକା ଅପଡେଟ୍ ଓ ସଂଶୋଧନ ପ୍ରକ୍ରିୟା ଯେଉଁ କାର୍ଯ୍ୟସୂଚୀ ଅନୁଯାୟୀ ଚାଲିଛି ତାହା ଝାଡ଼ଖଣ୍ଡରେ ମଧ୍ୟ ଅନୁସରଣ କରାଯାଉଛି। ଏହି ଆଧାରରେ ଝାଡ଼ଖଣ୍ଡରେ ଏହି ଦୁଇ ରାଜ୍ୟ ସହ ନିର୍ବାଚନ ହେବ ବୋଲି ସଙ୍କେତ ମିଳିଛି।

Advertisment

ନିର୍ବାଚନ କମିସନଙ୍କ ଏକ ଉଚ୍ଚସ୍ତରୀୟ ଟିମ୍ ଜୁଲାଇ ୧୦ ଓ ୧୧ ତାରିଖରେ ଝାଡ଼ଖଣ୍ଡ ଗସ୍ତ କରିଥିଲେ। ବରିଷ୍ଠ ଉପ ନିର୍ବାଚନ କମିଶନର ଧର୍ମେନ୍ଦ୍ର ଶର୍ମା ଓ ନିତେଶ ବ୍ୟାସ ମୁଖ୍ୟ ନିର୍ବାଚନ ଅଧିକାରୀ କେ ରବି କୁମାର ଏବଂ ସମସ୍ତ ୨୪ଟି ଜିଲ୍ଲାର ରିଟର୍ଣ୍ଣିଂ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରି ଭୋଟର ତାଲିକା ସଂଶୋଧନ ଓ ମତଦାନ କେନ୍ଦ୍ର ପ୍ରସ୍ତୁତି ର ସମୀକ୍ଷା କରିଛନ୍ତି।

ଗୁରୁବାର ପାତ୍ରଟୁଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ନିର୍ବାଚନ ଆୟୋଗ ଟିମ୍ ଭୋଟରଙ୍କ ଘରକୁ ଘର ବୁଲି ଯାଞ୍ଚ, ଡିଜିଟାଇଜେସନ୍, ପୁରୁଣା ଲେମିନେଟେଡ୍ ଭୋଟର ପରିଚୟପତ୍ର ନବୀକରଣ, ମତଦାନ କେନ୍ଦ୍ରରେ ଆବଶ୍ୟକ ସର୍ବନିମ୍ନ ସୁବିଧା, ଜନସାଧାରଣଙ୍କ ଅଭିଯୋଗର ସମାଧାନ ଓ ଲୋକସଭା ନିର୍ବାଚନରେ ମତଦାନ ପ୍ରତିଶତ ଆଦି ବିଷୟରେ ସୂଚନା ନେଇ ଆବଶ୍ୟକ ମାର୍ଗଦର୍ଶିକା ପ୍ରଦାନ କରିଥିଲେ।