ଦେଓଘର ତ୍ରିକୂଟରେ କେବୁଲ କାର ଦୁର୍ଘଟଣା: ଏବେ ବି ଫସି ରହିଛନ୍ତି ୫ପର୍ଯ୍ୟଟକ, ଉଦ୍ଧାରକାର୍ଯ୍ୟ ଜାରି

ଦେଓଘର: ଗତକାଲି ଦେଓଘରର ତ୍ରିକୂଟ ପର୍ବତରେ ଦୁଇଟି କେବୁଲ କାର ମଧ୍ୟରେ ଦୁର୍ଘଟଣା ଘଟିବା ଯୋଗୁ ୩ ଜଣ ମୃତ୍ୟୁ ହୋଇଥିଲା। ଏହା ସହ ଘଣ୍ଟା ଘଣ୍ଟା କାଳ ୪୮ ଜଣ ପର୍ଯ୍ୟଟକ ରୋପ୍‌ୱେରେ ଫସି ରହିଥିଲେ। ଦୁର୍ଘଟଣା ପରେ ଥର ଥର କରି ପର୍ଯ୍ୟଟକଙ୍କୁ ସ୍ଥାନୀୟ ବାସିନ୍ଦା, ପ୍ରଶାସନ, ସେନା ଓ ଏନ୍‌ଡିଆର୍‌ଏଫ୍‌(ନ୍ୟାସନାଲ ଡିଜାଷ୍ଟର ରେସ୍ପନ୍ସ ଫୋର୍ସ) ଟିମ୍ ଉଦ୍ଧାର କରିଥିଲେ। ଘଟଣା ଘଟିବାର ୪୮ଘଣ୍ଟା ହୋଇଥି‌ବା ବେଳେ ଆଜି ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସକାଳ ୭.୫୦ରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏବେ ବି ୫ଜଣ କେବୁଲ କାର ଭିତରେ ଫସି ରହିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଗତକାଲି ରାତି ହୋଇଯିବାରୁ ଉଦ୍ଧାରକାର୍ଯ୍ୟ ବନ୍ଦ ହୋଇଥିଲା। ଏହାପରେ ଫସିଥିବା ପର୍ଯ୍ୟଟଙ୍କ ପାଖକୁ ଡ୍ରୋନ୍ ସାହାଯ୍ୟରେ ସେମାନଙ୍କ ପାଖକୁ ଖାଦ୍ୟ ଓ ପାନୀୟ ପଠାଯାଇଥିଲା। ଆଜି ସକାଳ ୭.୫୦ରେ ପୁଣି ଥରେ ଫସି ରହିଥିବା ପର୍ଯ୍ୟଟଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା ବାୟୁସେନା। ୧୫ଜଣଙ୍କ ମଧ୍ୟରୁ ପ୍ରଥମେ ୫ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସକାଳ ୮.୪୦ ଭିତରେ ଅନ୍ୟ ୨ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏହା ପରେ ପରେ ୩ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ କେବୁଲ କାର ଭିତରେ ୫ଜଣ ଫସି ରହିଥିବା ଜଣାପଡ଼ିଛି। ତୁରନ୍ତ ସେମାନଙ୍କୁ ମଧ୍ୟ ଉଦ୍ଧାର କରାଯିବ ବୋଲି କହିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ।

ତେବେ ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇ ଦେଓଘର ସଦର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣାର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ି ନ ଥିଲେ ମଧ୍ୟ କୌଣସି ବୈଷୟିକ ତ୍ରୁଟି ଯୋଗୁ ଦୁର୍ଘଟଣା ଘଟିଲା ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର