ଝାଡ଼ଖଣ୍ଡ: ଝିଟିପିଟି ପଡ଼ିଥିବା ଖିଚିଡ଼ି ଖାଇ ୨୪ରୁ ଊର୍ଦ୍ଧ୍ୱ ସ୍କୁଲ୍‌ ପିଲା ଅସୁସ୍ଥ

ରାଞ୍ଚି: ଝାଡ଼ଖଣ୍ଡର ଏକ ସ୍କୁଲ୍‌ରେ ରନ୍ଧା ଯାଇଥିବା ଖିଚିଡ଼ି ଖାଇବା ପରେ ଦୁଇ ଡଜନରୁ ଅଧିକ ପିଲା ଅସୁସ୍ଥ ହୋଇ ପଡ଼ିଛନ୍ତି। ସେ ଖିଚିଡ଼ିରେ ଗୋଟାଏ ଝିଟିପିଟି ପଡ଼ିଯାଇଥିବା ଜଣାପଡ଼ିଛି।

କୋଦର୍ମା ଜିଲ୍ଲା ଅନ୍ତର୍ଗତ ଦୋମଚାଞ୍ଚ ବ୍ଲକ୍‌ର ସିମାରିଆ ଗାଁ’ରେ ଅବସ୍ଥିତ ଏକ ସ୍କୁଲ୍‌ ଏ ଭଳି ଘଟଣା ଘଟିଥିବା ପ୍ରକାଶ।

ଖିଚିଡ଼ି ଖାଇ ସାରିବା ପରେ ଦେହ ଚୋଇ ଯାଉଥିବା କହି ପିଲାଏ ବାନ୍ତିଉଚ୍ଛାଳ କରିଥିଲେ। ପରେ ପରେ ସେମାନଙ୍କୁ ଦୋମଚାଞ୍ଚ ରେଫେରାଲ୍‌ ହସ୍‌ପିଟାଲ୍‌ ଏବଂ କୋଦର୍ମା ସଦର ହସ୍‌ପିଟାଲ୍‌ରେ ଦାଖଲ କରାଯାଇଥିଲା।

ସୂଚନା ପାଇ ବ୍ଲକ୍‌ ଉନ୍ନୟନ ଅଧିକାରୀ ନାରାୟଣ ରାମଙ୍କ ସହ କୋଦର୍ମା ମେଡିକାଲ୍‌ ଅଫିସର୍‌ ଡାକ୍ତର ରଞ୍ଜିତ କୁମାର ସ୍କୁଲ୍‌ରେ ପହଞ୍ଚି ଥିଲେ।
ତଦନ୍ତ କରିବା ବେଳେ ସେମାନେ ରନ୍ଧା ପାତ୍ର ମଧ୍ୟରୁ ଗୋଟାଏ ମଲା ଝିଟିପିଟି ପାଇଥିଲେ। ଏହି ପାତ୍ରରେ ୩୦ ଜଣ ପିଲାଙ୍କ ପାଇଁ ଖାଦ୍ୟ ରନ୍ଧା ଯାଏ।

ସ୍କୁଲ୍‌ର ପ୍ରିନ୍‌ସିପାଲ୍‌ ସର୍ଯ୍ୟୁ ରଜକ କହନ୍ତି ସ୍କୁଲ୍‌ କାର୍ଯ୍ୟରେ ସେ ଦୋମଚାଞ୍ଚ୍‌ ଯାଇଥିବାରୁ ଏ ଘଟଣା ବିଷୟରେ ସେ କିଛି ଜାଣନ୍ତି ନାହିଁ ବୋଲି କହିଛନ୍ତି। ଘଟଣା ପାଇଁ ସେ ପାଚକଙ୍କୁ ଦାୟୀ କରିଛନ୍ତି।

ପୀଡ଼ିତମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି ଯେ ସେମାନଙ୍କ ଅବସ୍ଥା ଭଲ ଅଛି; ସମସ୍ତେ ବିପଦ ମୁକ୍ତ।

ସମ୍ବନ୍ଧିତ ଖବର