ଝାଡ଼ଖଣ୍ଡ ସ୍କୁଲର ଅଜବ ଦୃଶ୍ୟ : କଲମ ବା ପେନ୍‌ସିଲ ନୁହେଁ ଛତା ଧରି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ

ଝାଡ଼ଖଣ୍ଡ : ପିଲାମାନଙ୍କ ଭବିଷ୍ୟତ ଗଢ଼ିବାରେ ସ୍କୁଲ ସବୁଠାରୁ ବଡ଼ ଭୂମିକା ନିର୍ବାହ କରିଥାଏ । କିନ୍ତୁ ଏବେ ଅନେକ ସ୍କୁଲରେ ପିଲାମାନଙ୍କ ଭବିଷ୍ୟତ ସହ ଖେଳାଯାଉଛି । ଯାହାର ଅନେକ ଦୃଶ୍ୟ ଆଗରୁ ଆସି ସାରିଥିବା ବେଳେ ଏବେ ଝାଡ଼ଖଣ୍ଡର ଏକ ସ୍କୁଲର ଦୃଶ୍ୟ ସାମ୍ନାକୁ ଆସିଛି । ଯେଉଁଠି ପିଲା କଲମ ବା ପେନ୍‌ସିଲ୍‌ ଧରି ନୁହେଁ ବରଂ ଛତା ଧରି ପାଠ ପଢ଼ୁଥିବା ଦେଖାଯାଇଛି । ସ୍କୁଲର ଛାତରୁ ବର୍ଷା ପାଣି ପଡ଼ୁଥିବାରୁ ପିଲାମାନେ ବାଧ୍ୟ ହୋଇ ଛତା ଧରି ଶ୍ରେଣୀ ଗୃହ ମଧ୍ୟରେ ବସୁଥିବା ଦେଖାଯାଇଛି । ପ୍ରତିଦିନ ଛାତ୍ରଛାତ୍ରୀମାନଙ୍କୁ ଏଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି ।

ସୂଚନା ମୁତାବକ, ଝାଡ଼ଖଣ୍ଡର ମୁରେଥାକୁରା ଗାଁରେ ଥିବା ଏକ ସରକାରୀ ସ୍କୁଲର ଏଭଳି ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପ୍ରତିଦିନ ବର୍ଷା ଲାଗି ରହିଥିବାରୁ ସ୍କୁଲର କାନ୍ଥରୁ ପାଣି ଝରିବା ସହ ସ୍କୁଲର ଛାତରୁ ପାଣି ଗଳୁଛି । ଯେଉଁଥି ପାଇଁ ବାଧ୍ୟ ହୋଇ ଛାତ୍ରଛାତ୍ରୀମାନଙ୍କୁ ଛତା ଧରି ବସିବାକୁ ପଡ଼ୁଛି । ସ୍କୁଲର କର୍ତ୍ତୃପକ୍ଷ ଛାତର ମରାମତି କରିବା ନେଇ ପ୍ରୟାସ କରିବା ପରିବର୍ତ୍ତେ ଛାତ୍ର-ଛାତ୍ରୀମାନଙ୍କୁ ଛତା ଧରି ବସିବାକୁ କହୁଛନ୍ତି । ସ୍କୁଲରେ ୭ଟି ଶ୍ରେଣୀ ଗୃହ ଥିବା ବେଳେ ସେ ମଧ୍ୟରୁ ୩ଟିକୁ ଛାଡ଼ି ଦେଲେ ବାକି ସବୁର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି । ତେବେ ସ୍କୁଲର ଶିକ୍ଷକ ରତିକାନ୍ତ ପ୍ରଧାନ ସରକାରଙ୍କୁ ଏହି ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଥିବା ବେଳେ ଏହି ସମସ୍ୟା ପାଇଁ ପଢ଼ା ବାଧାପ୍ରାପ୍ତ ହେଉଥିବା କହିଛନ୍ତି ଛାତ୍ରଛାତ୍ରୀ ।

ସମ୍ବନ୍ଧିତ ଖବର