ନୂଆଦିଲ୍ଲୀ: ଚନ୍ଦ୍ରର ଦକ୍ଷିଣମେରୁରେ ‘ଚନ୍ଦ୍ରଯାନ-୩’ ସଫଳତା ସହ ଅବତରଣ କରିବା ପରେ ଭାରତ ଇତିହାସ ରଚିଛି । ଇସ୍ରୋ ଦ୍ୱାରା ପ୍ରସ୍ତୁତ ‘ଚନ୍ଦ୍ରଯାନ-୩’ର ସଫଳତା ପାଇଁ ୧୪୦ କୋଟି ଭାରତୀୟ ଶୁଭେଚ୍ଛା ଜଣାଇଛନ୍ତି । କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱର ଅନେକ ଲୋକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ରହିଥିଲେ ।

Advertisment

‘ଚନ୍ଦ୍ରଯାନ-୩’ର ସଫଳତା ପଛରେ ଝାଡଖଣ୍ଡରେ ରହୁଥିବ‌ା ବୈଜ୍ଞାନିକ ସୋହନ ଯାଦବଙ୍କର ବି କିଛି ଭୂମିକ‌ା ରହିଛି।

ବୈଜ୍ଞାନିକ ସୋହନଙ୍କ ବାପା ଜଣେ ଟ୍ରକ ଚାଳକ ‌ଥିବା ବେ‌ଳେ ମା’ ଜଣେ ଗୃହିଣୀ। ଚାରି ଭାଇ ଓ ଭଉଣୀଙ୍କ ମଧ୍ୟରେ ‌ସୋହନ ତୃତୀୟ ସନ୍ତାନ। ସୋହନଙ୍କ ପିଲାଦିନ ବହୁ ଅଭାବ ଅନଟନରେ କଟିଛି। କିନ୍ତୁ ବୈଜ୍ଞାନିକ ହେବା ପାଇଁ ସୋହନଙ୍କ ପ୍ରଗାଢ଼ ଇଚ୍ଛା ଥିଲା। ତେଣୁ ବୈଜ୍ଞାନିକ ହେବା ଯାତ୍ରା ସମୟରେ ଜୀବନରେ ଯେଉଁ ସବୁ ବାଧାବିଘ୍ନ ଆସିଥିଲା ସେ ସମସ୍ତଙ୍କୁ ସାମ୍ନା କରି ସୋହନ ଆଗେଇ ଚାଲିଥିଲେ।

ସୋହନଙ୍କ ଅକ୍ଳାନ୍ତ ପରିଶ୍ରମ ଓ ସଫଳତା ହେତୁ ମାତ୍ର ୨୧ବର୍ଷ ବୟସରେ ସେ ଇସ୍ରୋ ସହିତ ଯୋଡ଼ି ହୋଇଥିଲେ। ଇସ୍ରୋ ସୋହନଙ୍କ ପରିଶ୍ରମ ଓ ଇଚ୍ଛାଶକ୍ତିକୁ ନଜରରେ ରଖି ‘ଚନ୍ଦ୍ରଯାନ-୨’ ମିସନରେ ସାମିଲ କରିଥିଲା। ‘ଚନ୍ଦ୍ରଯାନ-୨’ ମିସନ ଅସଫଳ ହେବାପରେ ‘ଚନ୍ଦ୍ରଯାନ-୩’ରେ ‌ସୋହନ ପୁଣି ସାମିଲ ହୋଇଥିଲେ। ଆଉ ଏହି ମିସନ ନିକଟରେ ଇତିହାସ ରଚିଛି। ଏହାକୁ ନେଇ ଚର୍ଚ୍ଚା ଦେଶ ତଥା ବିଶ୍ବସାରା ହେବାରେ ଲାଗିଛି।

ଏହି ସଫଳତା ପାଇବା ପରେ ଇସ୍ରୋର ବୈଜ୍ଞାନିକ ତଥା ‘ଚନ୍ଦ୍ରଯାନ-୩’ ମିସନରେ ସାମିଲ ଥିବା ସୋହନ କହିଛନ୍ତି, ‘ବାପା ଓ ମା’ କେତେ କଷ୍ଟ କରି ‌ମୋତେ ମଣିଷ କରିଛନ୍ତି ମୁଁ ଦେଖିଛି। ତେଣୁ କେମିତି ମୁଁ ଜଣେ ବୈଜ୍ଞାନିକ ହେବି ସେଥିପାଇଁ  ଭୋକଶୋଷ ଭୁଲି ଯାଇଥିଲି।

ବାପା ଟ୍ରକ ଚଲାଇ ଭୋକରେ ରହି ମୋତେ ବୈଜ୍ଞାନିକ କରିବା ପାଇଁ ଅନେକ କଷ୍ଟ କରିଛନ୍ତି। ଯାହା ମୁଁ ନିଜ ଆଖିରେ ଦେଖିଛି। ଆଜି ‘ଚନ୍ଦ୍ରଯାନ-୩’ ମିସନ ସଫଳ ହେବାପରେ ବାପା ଓ ମା’ ଯେଉଁ ଖୁସି ହୋଇଛନ୍ତି। ତାଙ୍କ ଖୁସି ଦେଖି ମୁଁ ସବୁ କଷ୍ଟ ଭୁଲି ଯାଇଛି।’