ଝାଡ଼ଖଣ୍ଡ: ୬ ମାସ ପୂର୍ବରୁ ଅପହୃତ ୩ ପରିବାର ସଦସ୍ୟଙ୍କ କଙ୍କାଳ ମିଳିଲା

ଚାଇବାସା : ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେ ୬ ମାସ ପୂର୍ବେ ଅପହରଣ କରାଯାଇଥିବା ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କର କଙ୍କାଳ ମିଳିଛି। ମୃତକମାନେ ହେଉଛନ୍ତି ଜଗଦୀଶ ରଜକ (୬୦), ଶାରଦା ଦେବୀ (୫୫) ଏବଂ ସେମାନଙ୍କ ନାତି ରାଜା ରାଜକ (୧୭)। ତନ୍ତନଗର ଅଞ୍ଚଳ ସ୍ଥିତ ସିଦମା ଗ୍ରାମରୁ ସେମାନଙ୍କୁ ଅପହରଣ କରି ନିଆଯାଇଥିଲା। ଏକ ଜମି ବିବାଦ ପାଇଁ ପଡ଼ୋଶୀ ବିକାଶ ବେହରା ଏବଂ ତା’ର ସହଯୋଗୀମାନେ ସେମାନଙ୍କୁ ଅପହରଣ କରିନେଇ ହତ୍ୟା କରିଥିଲେ ବୋଲି ଏସ୍‌ପି ଆଶୁତୋଷ ଶେଖର କହିଛନ୍ତି।

ସାଦର ଏସ୍‌ଡିପିଓ ଦିଲୀପ ଖାଲ୍‌କୋଙ୍କ ନେତୃତ୍ବ‌ରେ ଏକ ଏସ୍‌ଆଇଟି ଏହି ଘଟଣାର ତଦନ୍ତ କରୁଥିଲା। ମାମଲାରେ ମୁଖ୍ୟ ଅଭିଯୁକ୍ତ ଏବଂ ତା’ ପରିବାର ସଦସ୍ୟ ଗାଁ ଛାଡ଼ି ପଳାଇଛନ୍ତି। ସେମାନେ ଯଥାକ୍ରମେ ଛତିଶଗଡ଼ ଏବଂ ଓଡ଼ିଶାରେ ରହିଛନ୍ତି ଏବଂ ଲଗାତାର ଭାବେ ଜାଗା ବଦଳାଉଛନ୍ତି ବୋଲି ପୁଲିସ କହିଛନ୍ତି। ତେବେ ମାମଲାରେ ପୁଲିସ ବିକାଶ ବେହରାର ୨ ପତ୍ନୀ ସୁଶ୍ମିତା (୩୬) ଏବଂ ପାର୍ବତୀ (୨୩) ଏବଂ ସହଯୋଗୀ ରସାଇ ସିକୁ (୫୧), ସୁଶୀଲ ଜାମୁଡା (୩୨)ଙ୍କୁ ଗିରଫ କରିଛି। ଜାମୁଡ଼ା ଏବଂ ସିକୁର ବୟାନ ଆଧାରରେ ପୁଲିସ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏକ ଗ୍ରାମରୁ ୩ ଜଣଙ୍କ କଙ୍କାଳ ପାଇଛି। ୩ ଜଣଙ୍କୁ ହତ୍ୟା କରି ପୋତି ଦିଆଯାଇଥିଲା।

ସମ୍ବନ୍ଧିତ ଖବର