ତ୍ରିକୂଟ ପର୍ବତ ‘ରୋପୱେ’ ଦୁର୍ଘଟଣା: ୨୧ ଘଣ୍ଟା ଫସି ରହିବା ପରେ ରଶି ସାହାଯ୍ୟରେ ଶିଶୁକୁ କରାଗଲା ଉଦ୍ଧାର

ଦେଓଘର: ଝାଡ଼ଖଣ୍ଡର ଦେଓଘର ଜିଲ୍ଲାସ୍ଥିତ ବାବା ବୈଦ୍ୟନାଥ ମନ୍ଦିର ନିକଟରେ ଥିବା ତ୍ରିକୂଟ ପର୍ବତରେ ଥିବା ‘ରୋପୱେ’ର କେତେଗୁଡ଼ିଏ କେବୁଲ୍ କାର୍ ପରସ୍ପର ସହିତ ଧକ୍କା ଖାଇଥିଲେ । ଏହି ଦୁର୍ଘଟଣାରେ ଅନ୍ୟୂନ ୨ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ କେତେଜଣ ଆହତ ହୋଇଥିବା ସରକାରୀ ଅଧିକାରୀମାନେ କହିଛନ୍ତି।

ସରକାରୀ ଅଧିକାରୀମାନଙ୍କ କହିବା ଅନୁସାରେ, ୧୨ଟି କ୍ୟାବିନରେ (ରୋପୱେ କାର୍) ଫସି ରହିଥିବା ୪୮ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ଲାଗି ଭାରତୀୟ ବାୟୁସେନାର ଦୁଇଟି ଏମଆଇ୧୭ ହେଲିକପ୍ଟର୍ ଅଭିଯାନ ଚଳାଇଛି। ତେବେ ୨୧ ଘଣ୍ଟା ଧରି ଫସି ରହିଥିବା ଜଣେ ଛୋଟ ଶିଶୁକୁ କେବୁଲ ସାହାଯ୍ୟରେ ସୁରକ୍ଷିତ ଭାବେ  ଉଦ୍ଧାର କରାଯାଇଛି। ଏବେ ବି ସେଠାରେ ଅନେକ ଲୋକ ଫସି ରହିଛନ୍ତି, ଯେଉଁମାନଙ୍କୁ ଉଦ୍ଧାର କରାଯାଉଛି। ଉଦ୍ଧାର କାର୍ଯ୍ୟରେ ସମସ୍ୟା ‌ଦେଖା ଦେଉଛି। ଡ୍ରୋନ ଜରିଆରେ ଫସି ରହିଥିବା ଲୋକଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉଛି।

ଏହି ସମସ୍ତ ଲୋକ ଗତ ରବିବାର ସନ୍ଧ୍ୟା ୫ଟାରେ ୧୦୦୦ଫୁଟ ଉଚ୍ଚରେ ଯାଉଥିବା ବେଳେ ରୋପୱେ କାରରେ ଫସି ଯାଇଥିଲେ। ଏଯାବତ୍ ୪୦ଜଣଙ୍କୁ ଉଦ୍ଧାର କରାଯାଇଛି। ୨୪ ଘଣ୍ଟା ଧରି ଉଦ୍ଧାରକାର୍ଯ୍ୟ ପରେ ଏବେ ବି ୮ଜଣ ଲୋକ ସେଠାରେ ଫସି ରହିଛନ୍ତି।

ପ୍ରକୃତ କାରଣ ଜଣା ପଡ଼ି ନ ଥିଲେ ବି ବୈଷୟିକ ତ୍ରୁଟି ଯୋଗୁଁ କେବୁଲ୍ କାର୍ ଧକ୍କା ଖାଇଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି।

ଝାଡ଼ଖଣ୍ଡ ପର୍ଯ୍ୟଟନ ବିଭାଗ କହିଛି ଯେ, ତ୍ରିକୂଟ ‘ରୋପୱେ’ ହେଉଛି ଭାରତର ସର୍ବୋଚ୍ଚ ‘ରୋପୱେ’। ବାବା ବୈଦ୍ୟନାଥ ମନ୍ଦିରଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଅବସ୍ଥିତ ଏହି ‘ରୋପୱେ’ ପ୍ରାୟ ୭୬୬ ମିଟର୍ ଲମ୍ବ ହୋଇଥିବା ବେଳେ ପର୍ବତର ଉଚ୍ଚତା ୩୯୨ ମିଟର ରହିଛି।

ସମ୍ବନ୍ଧିତ ଖବର