ରାଞ୍ଚି: ଦେଶର ମୋଟ ଭୌଗୋଳିକ କ୍ଷେତ୍ରର ୨.୪୨ ପ୍ରତିଶତ ଓ ମୋଟ ଜନସଂଖ୍ୟାର ୨.୭୭ ପ୍ରତିଶତ ଝାଡ଼ଖଣ୍ଡରେ ରହିଛି। ତଥାପି ପ୍ରତିନିଧିତ୍ୱ ଦୃଷ୍ଟିରୁ ୫୪୩ ସଦସ୍ୟ ବିଶିଷ୍ଟ ଲୋକସଭାରେ ଏହାର ୧୪ଟି ଆସନ ରହିଛି, ଯାହା କି ମୋଟ ସଂଖ୍ୟାର ୨.୫ ପ୍ରତିଶତ। ୨୦୧୧ ଜନଗଣନା ଅନୁଯାୟୀ ମୁଖ୍ୟତଃ ହୋ, ମୁଣ୍ଡା, ସାନ୍ତାଳ ଓ ଓରାଓଁ ସମ୍ପ୍ରଦାୟକୁ ମିଶାଇ ଝାଡ଼ଖଣ୍ଡର ଆଦିବାସୀ ଜନସଂଖ୍ୟା ରାଜ୍ୟର ୩.୨ କୋଟି ଜନସଂଖ୍ୟାର ୨୬.୨୧ ପ୍ରତିଶତ। ଜାତୀୟ ରାଜନୀତିରେ ଏଭଳି ରାଜ୍ୟ କାହିଁକି ପ୍ରାସଙ୍ଗିକ? ପ୍ରଥମତଃ ଆଦିବାସୀ ଜନସଂଖ୍ୟା କାରଣରୁ ଜାତୀୟ ସ୍ତରରେ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ୪୭ଟି ଆସନ ମଧ୍ୟରୁ ଏହି ରାଜ୍ୟରେ ୫ଟି ଆସନ ରହିଛି। କଂଗ୍ରେସ ଓ ଆଞ୍ଚଳିକ ଦଳଗୁଡ଼ିକ ପାଇଁ ମଧ୍ୟ ଏହି ଆସନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ। ଏହି ରାଜ୍ୟରେ ଲୋକସଭା ନିର୍ବାଚନରେ ବିଜେପି ନିଜର ପ୍ରଦର୍ଶନରେ ଉନ୍ନତି ଆଣିଛି। ୨୦୦୪ରେ ଗୋଟିଏ ଆସନ ଥିବା ବିଜେପି ୨୦୧୪ରେ ୧୪ଟି ଆସନରୁ ୧୨ଟିରେ ବିଜୟୀ ହୋଇଥିଲା ଏବଂ ୨୦୧୯ରେ ଆଜସୁ ଦଳକୁ ସାଙ୍ଗରେ ନେଇ ଏହା ଆସନ ସଂଖ୍ୟା ବଜାୟ ରଖିଥିଲା। ୨୦୧୪ରେ କଂଗ୍ରେସ କିଛି ପାଇ ନ ଥିବା ବେଳେ ୨୦୧୯ରେ ପୁଣି ଗୋଟିଏ ଆସନରେ ବିଜୟୀ ହୋଇଥିଲା। ତେବେ ଏହି ସବୁ ନିର୍ବାଚନରେ ଜେଏମ୍‌ଏମ୍‌ ଅତି କମ୍‌ରେ ଗୋଟିଏ ଆସନ ବଜାୟ ରଖି ବିଜେପି ସହ ଲଢେଇ କରିଥିଲା।

Advertisment

ଚଳିତ ଲୋକସଭା ନିର୍ବାଚନ ମଧ୍ୟ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଞ୍ଚ ପ୍ରସ୍ତୁତ କରିବ। ରାଜ୍ୟରେ ବର୍ତ୍ତମାନର ଜେଏମ୍‌ଏମ୍‌-କଂଗ୍ରେସ-ଆର୍‌ଜେଡି ମେଣ୍ଟ ସରକାର ଦୁର୍ନୀତିକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ବ୍ୟବହାର କରି ଏହାକୁ ଅସ୍ଥିର କରାଯାଉଛି ବୋଲି ଅଭିଯୋଗ ହେଉଛି। ପୂର୍ବତନ ଆଦିବାସୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଦ୍ୱାରା ଜମି ହଡ଼ପ ଅଭିଯୋଗରେ ଗିରଫ କରାଯାଇଥିବା ବେଳେ ଏହା ପରେ ଜେଏମ୍‌ଏମ୍‌-କଂଗ୍ରେସ-ଆର୍‌ଜେଡି ମେଣ୍ଟ ଅଧିକ ସୁଦୃଢ଼ ହୋଇଛି। ଝାଡ଼ଖଣ୍ଡର ଆଦିବାସୀମାନେ ‘ସରନା କୋଡ୍’ ଲାଗୁ କରିବାକୁ ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି, ଯାହା ସେମାନଙ୍କୁ ଏକ ଅଲଗା ଧାର୍ମିକ ପରିଚୟ ଦେବ। ସେମାନଙ୍କ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ଦାବି ହେଉଛି। ରାଜ୍ୟ ସରକାର ଏହାକୁ ଜୋରଦାର ସମର୍ଥନ କରୁଥିବାରୁ ଆଦିବାସୀ ଭୋଟରମାନେ ସରକାର ସପକ୍ଷରେ ଆସିପାରନ୍ତି ବୋଲି ରାଞ୍ଚି ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ଜଣେ ପ୍ରଫେସର କହିଛନ୍ତି। ଅନ୍ୟପକ୍ଷରେ ବିଜେପି କେନ୍ଦ୍ର ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ଦର୍ଶାଇ ଆଦିବାସୀ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛି।