ଝାରସୁଗୁଡ଼ା ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ପ୍ରସଙ୍ଗ : କେନ୍ଦ୍ର ନିକଟକୁ ପ୍ରସ୍ତାବ ଆସିନାହିଁ

ନୂଆଦିଲ୍ଲୀ : ଓଡ଼ିଶାର ଝାରସୁଗୁଡ଼ା ବିମାନବନ୍ଦରକୁ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବା ଲାଗି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ନିକଟକୁ କୌଣସି ପ୍ରସ୍ତାବ ଆସିନାହିଁ। ସଂସଦରେ ବୁଧବାର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ ବିମାନ ବନ୍ଦରଗୁଡ଼ିକର ନାମକରଣ, ପୁନଃ ନାମକରଣ ସଂକ୍ରାନ୍ତ ସୁପାରିସ ରାଜ୍ୟ ସରକାରଙ୍କ ଦ୍ୱାରା କରାଯିବା ପରେ ଏ ପ୍ରସ୍ତାବ ରାଜ୍ୟ ବିଧାନସଭାରେ ଗୃହୀତ ହୋଇଥାଏ। କିନ୍ତୁ ଏଭଳି କିଛି ପ୍ରସ୍ତାବ ମନ୍ତ୍ରାଳୟର ହସ୍ତଗତ ହୋଇନାହିଁ। ମନ୍ତ୍ରୀ ସିହ୍ନା ଆହୁରି କହିଛନ୍ତି, ଝାରସୁଗୁଡ଼ା ବିମାନବନ୍ଦରର ପ୍ରମୁଖ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏବେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଦ୍ୱାରା ବିମାନବନ୍ଦରର ଲାଇସେନ୍ସ ସମ୍ପର୍କିତ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ପ୍ରକଳ୍ପର ମୋଟ ବ୍ୟୟ ପରିମାଣ ୨୦୦ କୋଟି ଟଙ୍କା ଥିବା ବେଳେ ରାଜ୍ୟର ଅଂଶ ୭୫ କୋଟି ଟଙ୍କା ରହିଛି।

ସମ୍ବନ୍ଧିତ ଖବର