ଜୟପୁର: ଜଣେ ବ୍ୟକ୍ତିଙ୍କ ସାମାନ୍ୟ ଭୁଲ ପାଇଁ ବ୍ୟାପକ ବନ୍ୟସମ୍ପଦ ନଷ୍ଟ ହୋଇଯିବା ସହିତ ଅକାରଣେ ନୀରିହ ବନ୍ୟାଜନ୍ତୁଙ୍କ ଜୀବନ ବି ଚାଲିଯାଇଛି। ରାଜସ୍ଥାନର ଝୁନ୍ଝୁନ୍ରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୦ରୁ ୨୫ ହେକ୍ଟର ଜମିରେ ଥିବା ଜଙ୍ଗଲ ପୋଡ଼ି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡ ଘଟିବା ଖବର ପାଇବା ପରେ ଦମକଳ ବାହିନୀ ଓ ବନ ବିଭାଗର ୨୦ରୁ ୨୫ଜଣ କର୍ମଚାରୀ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ।
ମାକଡୋରୁ ତାତିଜା ବନବିଭାଗର ପାହଡ଼ିଆ ଅଞ୍ଚଳରେ ବିଳମ୍ବିତ ରାତିରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ରେଞ୍ଜର ବିଜୟ କଗେଡିଆ ଏହି ଭୟାବହ ଅଗ୍ନିକାଣ୍ଡକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ହଠାତ ଏହି ନିଆଁ କେମିତି ଲାଗିଲା ତାହାକୁ ନେଇ ଯାଞ୍ଚ କରାଯାଇଥିଲା ବୋଲି କହିଛନ୍ତି।
ଏହି ଯାଞ୍ଚରୁ ଜଣାପଡ଼ିଛି କି, ମାକଡୋରୁ ତାତିଜା ବନବିଭାଗର ପାହଡ଼ିଆ ଅଞ୍ଚଳସ୍ଥିତ ମଦଭାଟି ପାଖରେ କେହି ଜଣେ ବ୍ୟକ୍ତି ବିଡ଼ି ଟାଣିବା ପରେ, ସେଥିରୁ ନିଆଁ ନ ଲିଭାଇ ବୋଧ ହୁଏ ଫିଙ୍ଗି ଦେଇଥିଲା। ଫଳରେ କେହି କିଛି ବୁଝିବା ପୂର୍ବରୁ ଶୁଖିଲା ଘାସରେ ନିଆଁ ଧରି ହୁ ହୁ ହୋଇ ୨୫ ହେକ୍ଟର ଜମିକୁ ମାଡ଼ି ଯାଇଥିଲା। ଫଳରେ ଏହି ସ୍ଥାନରେ ରହୁଥିବା ବନ୍ୟଜନ୍ତୁ ଦୌଡ଼ି ନପାରି ନିଆଁରେ ପୋଡ଼ି ହୋଇଯାଇଛନ୍ତି।
ନିଆଁ ଲାଗିବା ଖବର ମିଳିବା ପରେ ତୁରନ୍ତ ଖେତଡ଼ି, ପିଲାନି ଓ ସୁରଜଗଢ଼ ଦମକଳ ବାହିନୀର ୨୫ଜଣ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ୨୫ଜଣ କର୍ମଚାରୀ ଗ୍ରାମବାସୀଙ୍କ ସାହାଯ୍ୟରେ ନିଆଁକୁ ଲିଭାଇବା ପାଇଁ ୫ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ କରିଥିଲେ। ଏହାପରେ ଯାଇ ନିଆଁକୁ ଆୟତ୍ତକୁ ଅଣାଯାଇ ପାରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/512308-rajasthan.jpg)