ମୁମ୍ବାଇ: ପରସ୍ପର ବିରୋଧୀ ବୟାନ ଦେଇ ଏବଂ ତଥ୍ୟ ଚପାଇ ରଖି ଅଭିନେତ୍ରୀ ଜିଆ ଖାନ୍ଙ୍କ ମାଆ ଅଭିନେତା ସୂରଜ ପାଞ୍ଚୋଲିଙ୍କ ନାଁରେ ଚାଲିଥିବା ମାମଲାର ପ୍ରମାଣ ନଷ୍ଟ କରିଦେଲେ ବୋଲି ଶୁକ୍ରବାର ରାୟରେ ସ୍ବତନ୍ତ୍ର ‘ସିବିଆଇ’ ଅଦାଲତ କହିଛନ୍ତି।
ସୂଚନାଯୋଗ୍ୟ, ଯଥେଷ୍ଟ ପ୍ରମାଣ ଅଭାବରୁ ଶୁକ୍ରବାର ଦିନ ସ୍ବତନ୍ତ୍ର ‘ସିବିଆଇ’ ଅଦାଲତ ଜିଆ ଖାନ୍ ଆତ୍ମହତ୍ୟା ମାମଲାରେ ତାଙ୍କର ବୟଫ୍ରେଣ୍ଡ୍ ସୂରଜ ପାଞ୍ଚୋଲିଙ୍କୁ ଦୋଷମୁକ୍ତ କରିଥିଲେ।
ଅଦାଲତ କହିଛନ୍ତି, ଅଭିଯୋଗକାରିଣୀ (ରାବିୟା ଖାନ୍) ଦାଖଲ କରିଥିବା ପ୍ରମାଣରେ ଉଭୟ ତଦନ୍ତକାରୀ ଏଜେନ୍ସିଙ୍କୁ ଦୋଷ ଦେଇଛନ୍ତି। ସେ କହିଛନ୍ତି ଯେ, ସେମାନେ ସମୁଚିତ ଓ ସଠିକ ତଦନ୍ତ କରିପାରିନାହାନ୍ତି। ଏଭଳି ପରସ୍ପର ବିରୋଧୀ ସ୍ପଷ୍ଟ ବୟାନ ଦେଇ ନିଜେ ଅଭିଯୋଗକାରିଣୀ ମାମଲାକୁ ବାଟବଣା କରି ଦେଇଛନ୍ତି।
ଅଭିଯୋଗକାରିଣୀ ବିଚାର ପ୍ରକ୍ରିୟା ଉପରେ ଅବିଶ୍ବାସ କରିଥିବା କଥା ସ୍ପଷ୍ଟରୂପେ ଦର୍ଶାଇଛନ୍ତି। ଆତ୍ମହତ୍ୟା ମାମଲାର ବିଚାର ଚାଲିଥିବା ବେଳେ ଅଭିଯୋଗକାରିଣୀ କହିଲେ ତାହା ନରହତ୍ୟା ମାମଲା। କିନ୍ତୁ, ଏହି ମାମଲାରେ ନରହତ୍ୟା ଅଭିଯୋଗ ହୋଇ ନ ଥିଲା। ବାସ୍ତବରେ କହିବାକୁ ଗଲେ, ନିଜେ ଅଭିଯୋଗକାରିଣୀ ଚାଲିଥିବା ଅପରାଧିକ ମାମଲା ବିଚାରକୁ ଅଗ୍ରାହ୍ୟ କରି ତାଙ୍କ ପୂର୍ବ ବୟାନକୁ ଅଗ୍ରାହ୍ୟ କରିଦେଲେ। ଏବଂ ସୀମିତ ପ୍ରମାଣ ଆଧାରରେ ବିଚାର ଚାଲୁ ରଖିବାକୁ କହିଲେ।
ଏହାଛଡ଼ା, ନିଜ ବ୍ୟତୀତ ବାକି ସମସ୍ତଙ୍କ ଉପରେ ଜିଆଙ୍କ ମାଆ ସନ୍ଦେହ କରୁଥିବା କଥା ମଧ୍ୟ ‘ସିବିଆଇ’ ଅଦାଲତ ଲକ୍ଷ୍ୟ କଲେ। ଜିଆଙ୍କ ମୃତ୍ୟୁର ୪ ଦିନ ପରେ ତାଙ୍କ ନୋଟ୍ ବୁକ୍ରୁ ମିଳିଥିବା ଚିଠିକୁ ତଦନ୍ତ ପାଇଁ ନ ଦେଇ ଗଣମାଧ୍ୟମରେ ପ୍ରକାଶ କରାଇଲେ। ତେଣୁ, ଚିଠିଟି ପ୍ରକୃତରେ କିଏ ଲେଖିଥିଲା ସେଥିପ୍ରତି ସନ୍ଦେହ ସୃଷ୍ଟି ହେଲା ବୋଲି ବିଚାରପତି କହିଛନ୍ତି।
ସେହିପରି, ‘ଏଫ୍ଆଇଆର୍’ ଫାଇଲ୍ କରାଯିବାରେ ବିଳମ୍ବ ଘଟଣାକୁ ମଧ୍ୟ ବିଚାପତି ସନ୍ଦେହ କରିଥିଲେ।