ୱାସିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କର ରବିବାର ପରଲୋକ ହୋଇଯାଇଛି। ସେ ଥିଲେ ଆମେରିକାର ୩୯ତମ ରାଷ୍ଟ୍ରପତି। ଜର୍ଜିଆର ପ୍ଲେନ୍ସସ୍ଥିତ ଘରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କୁ ୧୦୦ ବର୍ଷ ହୋଇଥିଲା। କାର୍ଟର ଥିଲେ ଆମେରିକା ଇତିହାସରେ ସବୁଠୁ ଅଧିକ ଦିନ ବଞ୍ଚିଥିବା ପୂର୍ବତନ ରାଷ୍ଟ୍ରପତି। କାର୍ଟରଙ୍କର ୪ ସନ୍ତାନ, ୧୧ ନାତିନାତୁଣୀ ଓ ୧୪ ଅଣନାତିନାତୁଣୀ ଅଛନ୍ତି। କିଛିବର୍ଷ ହେଲା କାର୍ଟର ଚର୍ମ କର୍କଟ ରୋଗରେ ପୀଡ଼ିତ ଥିବାରୁ ଚିକିତ୍ସିତ ହେଉଥିଲେ।
କାର୍ଟରଙ୍କୁ ଭାରତର ଜଣେ ଭଲ ବନ୍ଧୁ ବୋଲି ବିବେଚନା କରାଯାଏ। ଦେଶରୁ ଜରୁରୀକାଳୀନ ପରିସ୍ଥିତି ହଟିବା ପରେ ଏବଂ ୧୯୭୭ ମସିହାରେ ଜନତା ପାର୍ଟି ସରକାର ଗଠନ ପରେ ସେ ଭାରତ ଗସ୍ତରେ ଆସିଥିଲେ। ଭାରତର ସଂସଦରେ ୧୯୭୮ ଜାନୁଆରି ୨ରେ ଉଦ୍ବୋଧନ ଦେବା ସମୟରେ ସେ ସ୍ବେଚ୍ଛାଚାରୀ ଶାସନ ବିରୋଧରେ କହିଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ସହିତ ମିଳିତ ଭାବେ ଦିଲ୍ଲୀ ଘୋଷଣାନାମା ଘୋଷଣା କରିବା ସମୟରେ କାର୍ଟର କହିଥିଲେ, ଲୋକଙ୍କ ନୈତିକ ମୂଲ୍ୟବୋଧ ଦେଶ ଏବଂ ସରକାରଙ୍କ କାର୍ଯ୍ୟକୁ ମାଗଦର୍ଶନ ଦେବା ଉଚିତ। ଏ ନେଇ ରହିଥିବା ପ୍ରତିଶ୍ରୁତିବଦ୍ଧତା ହିଁ ଭାରତ ଓ ଆମେରିକା ବନ୍ଧୁତାର କେନ୍ଦ୍ରବିନ୍ଦୁ।
କାର୍ଟରଙ୍କ ବିୟୋଗରେ ଆମେରିକା ସମେତ ବିଭିନ୍ନ ଦେଶର ନେତୃବୃନ୍ଦ ଶୋକବ୍ୟକ୍ତ କରିଛନ୍ତି। ଆମେରିକା ଜଣେ ଅନନ୍ୟ ନେତା, ରାଷ୍ଟ୍ରନୀତିଜ୍ଞ ଏବଂ ଭଲ ମଣିଷଙ୍କୁ ହରାଇଲା ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି। ଗତ ୬ ଦଶନ୍ଧି ଧରି କାର୍ଟର ତାଙ୍କର ଉତ୍ତମ ମାନବୀୟ ଗୁଣ ପାଇଁ ପରିଚିତ ଥିଲେ। ବିଶ୍ବରୁ ରୋଗ ଦୂର କରିବା, ଶାନ୍ତି ପ୍ରତିଷ୍ଠା, ନାଗରିକମାନଙ୍କୁ ଅଧିକାର ପ୍ରଦାନ, ମୁକ୍ତ ଓ ଅବାଧ ନିର୍ବାଚନକୁ ପ୍ରୋତ୍ସାହନ, ବାସହୀନଙ୍କୁ ଗୃହ ପ୍ରଦାନ ଏବଂ ସର୍ବଦା ସମାଜର ସବୁଠୁ ତଳେ ଥିବା ବ୍ୟକ୍ତିମାନଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଥିଲେ। ବିଶ୍ବରେ ସେ ଅନେକ ବ୍ୟକ୍ତିଙ୍କୁ ବଞ୍ଚାଇଛନ୍ତି, ଲୋକଙ୍କ ଜୀବନରେ ପରିବର୍ତ୍ତନ ଓ ଉନ୍ନତି ଆଣିଛନ୍ତି ବୋଲି ବାଇଡେନ୍ କହିଛନ୍ତି। ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯଦିଓ କାର୍ଟରଙ୍କ ଦର୍ଶନ ଓ ରାଜନୈତିକ ଚିନ୍ତାଧାରା ସହିତ ସେ ଦୃଢ଼ଭାବେ ଅସହମତ ଥିଲେ ତଥାପି କାର୍ଟର ଆମେରିକାକୁ ବାସ୍ତବରେ ଭଲ ପାଉଥିଲେ ଓ ସମ୍ମାନ ଦେଉଥିଲେ। ଆମେରିକାକୁ ଆଗକୁ ନେବାପାଇଁ କାର୍ଟର କଠିନ ପରିଶ୍ରମ କରିଥିଲେ। ସେଥିପାଇଁ ମୁଁ ତାଙ୍କୁ ସର୍ବାଧିକ ସମ୍ମାନ ଦିଏ ବୋଲି ଟ୍ରମ୍ପ କହିଛନ୍ତି।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିଛନ୍ତି। କାର୍ଟରଙ୍କ ପରଲୋକ ତାଙ୍କୁ ଗଭୀର ଭାବେ ମର୍ମାହତ କରିଛି। ସେ ଜଣେ ଦୂରଦୃଷ୍ଟିସଂପନ୍ନ ରାଷ୍ଟ୍ରନୀତିଜ୍ଞ ଥିଲେ। ବିଶ୍ବରେ ଶାନ୍ତି ଓ ସଂହତି ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିଲେ। ଭାରତ ଓ ଆମେରିକା ମଧ୍ୟରେ ମଜଭୁତ ସଂପର୍କ ପ୍ରତି ତାଙ୍କର ବିଶେଷ ଯୋଗଦାନ ରହିଥିଲା। କାର୍ଟରଙ୍କ ପରିବାର, ବନ୍ଧୁ ଏବଂ ଆମେରିକାବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଗଭୀର ସମବେଦନା ଜଣାଇଛନ୍ତି। ୧୯୭୮ରେ ରାଷ୍ଟ୍ରପତି ଥିବା ସମୟରେ ଜିମି କାର୍ଟର ଭାରତ ଆସିଥିଲେ। ସେ ତତ୍କାଳୀନ ରାଷ୍ଟ୍ରପତି ନୀଲମ ସଂଜୀବ ରେଡ୍ଡୀ, ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କୁ ଭେଟିବା ସହିତ ସଂସଦରେ ସାଂସଦମାନଙ୍କୁ ଉଦ୍ବୋଧନ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/31/KEB0sjBAJetCmUK8fS4B.jpg)