ଜିନ୍‌ପିଙ୍ଗ ଦ୍ୱିତୀୟ ବାର ରାଷ୍ଟ୍ରପତି ନିର୍ବାଚିତ:ସମ୍ବିଧାନରେ  ଅନ୍ତର୍ଭୁକ୍ତ ହେଲା ଜିନ୍‌ପିଙ୍ଗ୍‌ଙ୍କ ନାମ

ବେଜିଂ:  ଚୀନ୍‌ ରାଷ୍ଟ୍ରପତି ତଥା  କମ୍ୟୁନିଷ୍ଟ ପାର୍ଟିର ସର୍ବଶକ୍ତିମାନ ନେତା ଜି ଜିନ୍‌ପିଙ୍ଗ୍‌ଙ୍କୁ ପୁଣି ଥରେ ଆଉ ୫ ବର୍ଷ ପାଇଁ  ରାଷ୍ଟ୍ରପତି  ନିର୍ବାଚିତ କରାଯାଇଛି। ବିଗତ ସପ୍ତାହେ ଧରି ଚାଲିଥିବା  ଦଳର ମହାସମ୍ମିଳନୀରେ  ଜିନ୍‌ପିଙ୍ଗଙ୍କୁ ସାଧାରଣ ସଂପାଦକ ପଦରେ ଅବସ୍ଥାପିତ କରିବାକୁ ସମସ୍ତ ପ୍ରକ୍ରିୟା ଶେଷ ହେବା ସହ ଦ୍ୱିତୀୟ ବାର ରାଷ୍ଟ୍ରପତି ର୍ନିବାଚିତ କରାଯାଇଛି ।  ଏହି ସମ୍ମିଳନୀରେ ଦଳର ୨୩୫୦ ବରିଷ୍ଠ ନେତା ଅଂଶ ଗ୍ରହଣ କରିଥିଲେ ।  ଲଗାତାର ଦ୍ୱିତୀୟ ବାର କାର୍ଯ୍ୟକାଳ ସହ ଜିନପିଙ୍ଗ୍‌ ଚୀନ୍‌ର ସବୁଠାରୁ ଶକ୍ତିଶଳୀ ନେତାଭାବେ ପରିଗଣିତ ହୋଇଛି। ଜିନ୍‌୍‌ପିଙ୍ଗଙ୍କ ନାମ ଓ ରାଜନୈତିକ ଆଦର୍ଶକୁ ଚୀନ୍‌ ସମ୍ବିଧାନରେ ଅନ୍ତର୍ଭୁକ୍ତ କରାଯାଇଛି । ୧୯୪୯ରେ ‘ପିପୁଲ୍‌ସ ରିପବ୍ଲିକ୍‌ ଅଫ୍‌ ଚାଇନା’ର ପ୍ରତିଷ୍ଠା କରିଥିବା ମାଓ ସେ ତୁଙ୍ଗଙ୍କ ନାମ ମଧ୍ୟ ସମ୍ବିଧାନରେ ସାମିଲ ହୋଇନଥିବା ବେଳେ ଜିନ୍‌ପିଙ୍ଗ ଏହି ବିରଳ ସମ୍ମାନର ଅଧିକାରୀ ହେବାକୁ ସକ୍ଷମ ହୋଇଛନ୍ତି। ଜିନ୍‌ପିଙ୍ଗଙ୍‌ ସହିତ ପ୍ରଧାନମନ୍ତ୍ରୀ ଲି କ୍ୱିଂଗ ମଧ୍ୟ ମଧ୍ୟ ଦ୍ୱିତୀୟ ବାର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ।  ଜିନ୍‌ପିଙ୍ଗ ଏବଂ ଲି ୨୦୧୨ରେ କ୍ଷମତାକୁ ଆସିଥିଲେ ଏବଂ ସେମାନେ ୨୦୨୨ ପର୍ଯ୍ୟନ୍ତ  କ୍ଷମତାରେ ରହିବେ। ଚୀନ୍‌ କମ୍ୟୁନିଷ୍ଟ ପାର୍ଟି (ସିପିସି) ୧୯ତମ ମହାଅଧିବେଶନରେ ଏହି ସର୍ବୋଚ୍ଚ ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଥିବା ବେଳେ ସରକାର ଚଳାଇବା ପାଇଁ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କ ନାମ ଖୁବ୍‌୍‌ଶୀଘ୍ର ଘୋଷଣା ହେବ।  ଜିନ୍‌ପିଙ୍ଗଙ୍କୁ ପୁନଃ ନିର୍ବାଚିତ କରାଇବା

କ୍ଷେତ୍ରରେ  କୌଣସି ପ୍ରତିବନ୍ଧକ ସୃଷ୍ଟି ହୋଇନଥିଲେ ମଧ୍ୟ ସରକାର ଚଳାଇବାରେ ସେ ଦଳ ଭିତରୁ  ବିରୋଧର ସମ୍ମୁଖୀନ ହେବେ ବୋଲି ଆଶଙ୍କା କରାଯାଉଛି ।  ଜିନ୍‌ପିଙ୍ଗଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ଏବଂ ଏ ବାବଦ କଠୋର ଆଇନ ବଳରେ ଦଳର ବହୁ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବାରୁ ଜିନ୍‌ପିଙ୍ଗଙ୍କ ବିରୋଧରେ ସେମାନେ ଷଡ଼ଯନ୍ତ୍ର କରିବା ଆଶଙ୍କା ରହିଛି। ଚୀନ୍‌ କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା ମାଓ ସେ ତୁଙ୍ଗ୍‌ ପରେ   ସର୍ବାଧିକ କ୍ଷମତାଶାଳୀ ନେତାଭାବେ ଜିନ୍‌ପିଙ୍ଗ୍‌ ନିଜକୁ ସାବ୍ୟସ୍ତ କରିଥିବା ବେଳେ ଯେତେଦିନ ପର୍ଯ୍ୟନ୍ତ ସେ ସୁସ୍ଥ ରହିଥିଲେ ଚୀନ୍‌ର କ୍ଷମତା ତାଙ୍କ ହାତରେ ରହିବ ବୋଲି ହଂକଂ ବିଶ୍ୱବିଦ୍ୟାଳୟର ପ୍ରଫେସର ଓ୍ଵିଲି ଲ୍ୟାମ୍‌ କହିଛନ୍ତି।   ୬୪ ବର୍ଷୀୟ ଜିନ୍‌ପିଙ୍ଗ ଏବେ ଦଳ ଭିତରେ ଅସାଧାରଣ କ୍ଷମତାର କେନ୍ଦ୍ର ପାଲଟିଛନ୍ତି ଅନ୍ୟ କୌଣସି ନେତା ତାଙ୍କୁ ଏ ବାବଦରେ ଚ୍ୟାଲେଂଜ ଦେବାକୁ ସକ୍ଷମ ନାହାନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଏବଂ ରୁଷ୍‌ ରାଷ୍ଟ୍ର ଭ୍ଲାଦିମିର ପୁଟିନଙ୍କୁ ପଛକୁ ଠେଲି ଜିନ୍‌ପିଙ୍ଗ ହିଁ ଆଗାମୀ  ଦିନରେ ବିଶ୍ୱର  ସବୁଠାରୁ ଟାଣୁଆ ନେତା ବିବେଚିତ ହେବେବୋଲି କୁହାଯାଉଛି ।

ଦୁର୍ନୀତି ବିରୋଧରେ କଠୋର ଆଇନ ପ୍ରଣୟନ, ସାମରିକ ଶକ୍ତିକୁ ନୂତନ ପର୍ଯ୍ୟାୟରେ ପହଞ୍ଚାଇବା ପାଇଁ ସଫଳ ରଣନୀତି ଏବଂ  ପ୍ରଭାବଶାଳୀ ଅର୍ଥନୀତିର ବିକାଶ ପାଇଁ ଜିନ୍‌ପିଙ୍ଗଙ୍କୁ ଦ୍ୱିତୀୟ ବାର କ୍ଷମତା ଅର୍ପଣ କରାଯାଇଛି ସିପିସି କହିଛି।   ଜିନଫିଙ୍ଗ ଦଳ ଏବଂ ଚୀନ୍‌ର ନାଗରିକ ସମାଜରେ ନିଜର ସ୍ଥିତି ସୁଦୃଢ଼ କରିବା ସହ ବିରୋଧୀଙ୍କୁ ମୁଣ୍ଡ ଟେକିବାର ସୁଯୋଗ ଦେଇନାହାନ୍ତି।  ଚୀନ୍‌ ନିଜର ରାଷ୍ଟ୍ରୀୟ ସ୍ୱାର୍ଥର ସୁରକ୍ଷା ପାଇଁ କୌଣସି ସାଲିସ କରିବ ନାହିଁ ବୋଲି ଜିନ୍‌ପିଙ୍ଗ୍‌ ଅନ୍ୟ ରାଷ୍ଟ୍ରମାନଙ୍କୁ ଚେତାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର