ମୁମ୍ବାଇ: ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଝିଅ ତଥା ଶିଳ୍ପପତି ନୁସ୍‌ଲି ଓ୍ଵାଦିଆଙ୍କ ମାଆ ଦିନା ଓ୍ଵାଦିଆଙ୍କର ଗୁରୁବାର ଦିନ ତାଙ୍କ ନିୟୁୟର୍କସ୍ଥିତ ବାସଭବନରେ ଦେହାନ୍ତ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ଓ୍ଵାଦିଆ ପରିବାର ତରଫରୁ ପ୍ରକାଶିତ ଏକ ବିବୃତିରେ କୁହାଯାଇଛି ଯେ ସେ ଶାନ୍ତିରେ ମୃତ୍ୟୁ ବରଣ କରିଛନ୍ତି। ସେଥିରେ ଉଲ୍ଲେଖ କରାଯାଇଛି: ତାଙ୍କର ଉତ୍ତରାଧିକାରୀ ଭାବେ ଅଛନ୍ତି ଝିଅ ଡାଏନା, ପୁଅ ନୁସ୍‌ଲି, ନାତି ନେସ୍‌ ଓ ଜେହ୍‌ ଏବଂ ଜେହ୍‌ଙ୍କ ପତ୍ନୀ ସେଲିନା ଏବଂ ଦୁଇ ଅଣନାତି ନାତୁଣୀ ଜାହ୍‌ ଏବଂ ଏଲା ଓ୍ଵାଦିଆ।

Advertisment

ମୁମ୍ବାଇସ୍ଥିତ ଜିନ୍ନାଙ୍କ ଘରେ ନିଜର ଅନ୍ତିମ ଜୀବନ ଅତିବାହିତ କରିବାକୁ ଚାହୁଁଥିଲେ ଦିନା। ସେ ଏକମାତ୍ର ଉତ୍ତରାଧୀକାରୀଣି ହୋଇ ଥିବାରୁ ସେ ଘର ତାଙ୍କୁ ହସ୍ତାନ୍ତର କରାଯାଉ ବୋଲି ଦାବି କରି ୨୦୧୦ରେ ହାଇକୋର୍ଟଙ୍କୁ ଆବେଦନ କରିଥିଲେ ଦିନା। ‘ମିଷ୍ଟର୍‌ ଏବଂ ମିସେସ୍‌ ଜିନ୍ନା’ର ଲେଖିକା ଶୀଳା ରେଡ୍ଡୀ କହନ୍ତି: ତାଙ୍କ ବାପା ତାଙ୍କୁ ଲିପ୍ତ କରାଇଥିଲେ। କିନ୍ତୁ ସେ ନେଭିଲ୍ଲି ଓ୍ଵାଦିଆଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେବା ପରେ ସେମାନେ ପର ହୋଇ ଯାଇଥିଲେ। ରେଡ୍ଡୀ କହିଛନ୍ତି ଯେ ଜଣେ ଧନୀ ବାପ ଏବଂ ସେଲିବ୍ରିଟି ମାଆଙ୍କ ଠାରୁ ଜାତ ହୋଇଥିଲେ ମଧ୍ୟ ଓ୍ଵାଦିଆଙ୍କ ବାଲ୍ୟକାଳ ଥିଲା ଅବହେଳିତ। ଚାକର ବାକରମାନେ ତାଙ୍କର ଲାଳନ ପାଳନ କରିଥିଲେ।

ରେଡ୍ଡି ଆହୁରି କହିଛନ୍ତି ଯେ ପାର୍ସି ଶିଳ୍ପପତିଙ୍କୁ ବାହାହେବା ପରେ ପିତାଙ୍କଠାରୁ ପର ହୋଇ ଯିବା ପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହେଉଥିଲେ ମଧ୍ୟ ବାପ ଝିଅ ଆଉ ଘନିଷ୍ଠ ହୋଇ ପାରି ନ ଥିଲେ। ଜିନ୍ନା ଅସୁସ୍ଥ ଥିବାବେଳେ ଓ୍ଵାଦିଆ ପାକିସ୍ତାନ ଆସିବାକୁ ଉଦ୍ୟମ କରିଥିଲେ, କିନ୍ତୁ ଜିନ୍ନା ତାଙ୍କୁ ଭିସା ଦେବାକୁ ମନା କରି ଦେଇଥିଲେ। ଶେଷରେ ଜିନ୍ନାଙ୍କ ଅନ୍ତିମ ସଂସ୍କାର ପରେ ସେ ପାକିସ୍ତାନ ଯିବାକୁ ସମର୍ଥ ହୋଇଥିଲେ।